Unknown

 

 

 

 

 

 

 

 

 

 

 

ମଜା ଆନନ୍ଦର କାହାଣୀମାଳା

ଉଦ୍ଧବ ନାୟକ

 

ଭକ୍ତିଅର୍ଘ୍ୟ

 

ଯେଉଁମାନେ ମୋ ବାଲ୍ୟଜୀବନରେ ବହୁ ଆଦର୍ଶ କାହାଣୀ ଶୁଣାଇ ମୋର ଭବିଷ୍ୟତ ଜୀବନକୁ ସରସ, ସୁନ୍ଦର ଓ ମହତ୍ଵପୂର୍ଣ୍ଣ କରି ଗଢ଼ିତୋଳିବା ନିମନ୍ତେ ସାହାଯ୍ୟ କରୁଥିଲେ, ମୋର ସେହି ପରମ ଭକ୍ତି ଭାଜନ ପିତାମହ ସ୍ଵର୍ଗୀୟ ଅବଧୂତାଚାର୍ଯ୍ୟ ଦୀନବନ୍ଧୁ ନାୟକ ଓ ମାତାମହୀ ସ୍ଵର୍ଗୀୟ ପାର୍ବତୀ ନାୟକଙ୍କ ପବିତ୍ର ସ୍ମୃତି ଉଦ୍ଦେଶ୍ୟରେ ଏହି କାହାଣୀ ପୁସ୍ତକକୁ ଆଜିର ଏହି ପବିତ୍ର ଦିବସରେ ଉତ୍ସର୍ଗ କରୁଅଛି ॥

 

॥ ବାବୁ ॥

(ଉଦ୍ଧବ)

Image

 

ଆଉ

 

ଯେଉଁମାନେ ସବୁବେଳେ ମୋ ମୁହଁରୁ ଦି’ପଦ ମଜାଗପ ଶୁଣିବା ପାଇଁ ଅଳିକରି ବସନ୍ତି ମୋର ସେଇ ଝିଅ ନନ୍ଦିନୀ (ମାମା), କାଦମ୍ବିନୀ (ଲୀନା) ଓ ରାଜେନ୍ଦ୍ର କୁମାରୀ (ରୀନୁ) ଙ୍କ ହାତରେ ସ୍ନେହର ନିଦର୍ଶନ ସ୍ଵରୂପ.......

 

ମହିମା ଗାଦି,

‘ବାପା’

ଦଶହରା ୧୯୮୨

 

Image

 

॥ ଏହି ବହିରେ ଥିବା କାହାଣୀ ॥

 

୧.

କଥାଣୀ

୨.

ଦୁଇଭାଇ

୩.

ଗରିବ ବ୍ରାହ୍ମଣ ଧନୀ ହେଲେ

୪.

ସୁନାବୋହୂ

୫.

ଅମୃତଭଣ୍ଡା କଥା

୬.

ଚୋରିଧନ ଚୋର ନେଲା

Image

 

।। କଥାଣୀ ।।

 

ଆମ ଓଡ଼ିଶାର ଗାଁ ଗହଳିରେ କଥା ଆରମ୍ଭରେ ଓ କଥା ଶେଷରେ କଥାଣିର ବିଶେଷ ପ୍ରଚଳନ ଅଛି । ମୁଖ୍ୟତଃ ଏହା କାହାଣୀ ଶୁଣୁଥିବା କୋମଳମତି ବାଳକ ବାଳିକାମାନଙ୍କ ମନରେ ଅଧିକ ଆନନ୍ଦ ପ୍ରଦାନ କରିଥାଏ । ବିଭିନ୍ନ ସ୍ଥାନରେ ବିଭିନ୍ନ ଭାବରେ ଏହାର ପ୍ରଚଳନ ଅଛି ।

 

କଥା ଆରମ୍ଭରେ–

 

କଥାଟିଏ କହୁଁ

କଥାଟିଏ କହୁଁ.......

 

 

କିସ କଥା ?

ବେଙ୍ଗୁଲି କଥା ।

 

 

କି ବେଙ୍ଗୁଲି ?

କାଠ ବେଙ୍ଗୁଲି ।

 

 

କି କାଠ ?

ରାଜା ମାଠ ।

 

 

କି ରାଜା ?

ଖଣ୍ଡଖଜା ।

 

 

କି ଖଣ୍ଡ ?

ମିରିଗ ଲଣ୍ଡ ।

 

 

କି ମିରିଗ ?

ଝାଡ଼ ମିରିଗ ।

 

 

କି ଝାଡ଼ ?

କଣ୍ଟାବାଡ଼ ।

 

 

କି କଣ୍ଟା ?

କାନକୋଳି କଣ୍ଟା, ଯହି ଲାଗିଥାଏ ଝଟାପଟା

 

କଥା ଶେଷରେ–

 

ମୋ କଥାଟି ସରିଲା ଫୁଲଗଛଟି ମରିଲା । ହଇରେ ଫୁଲଗଛ । ତୁ କାହିଁକି ମଲୁ ? ମୋତେ କାଳୀ ଗାଈ ଖାଇଗଲା । ହଇଲୋ କାଳୀଗାଈ ତୁ କାହିଁକି ଖାଇଗଲୁ ? ମୋତେ ଗଉଡ଼ ଜଗିଲା ନାହିଁ । ହଇରେ ଗଉଡ଼ ତୁ କାହିଁକି ଜଗିଲୁ ନାହିଁ ? ମୋତେ ବଡ଼ବୋହୂ ଖାଇବାକୁ ଦେଲାନାହିଁ । ହଇଲୋ ବଡ଼ବୋହୂ । ତୁ କାହିଁକି ଖାଇବାକୁ ଦେଲୁନାହିଁ ? ପୁଅ କାନ୍ଦିଲା । ହଇରେ ପୁଅ ତୁ କାହିଁକି କାନ୍ଦିଲୁ ? ମୋତେ ଧୂଳିଆ ଜନ୍ଦା କାମୁଡ଼ି ଦେଲା । ହଇରେ ଧୂଳିଆ ଜନ୍ଦା ତୁ କାହିଁକି କାମୁଡ଼ି ଦେଲୁ ? ମୁଁ ଧୂଳି ତଳେ ତଳେ ଥାଏ, କଅଁଳ ମାଉଁସ ଟିକିଏ ପାଇଲେ ରଟ୍‌କିନା କାମୁଡ଼ି ଦିଏ ।

Image

 

॥ ଦୁଇଭାଇ ॥

 

ବହୁତଦିନ ତଳର କଥା । ପବିତ୍ରପୁର ଗାଁରେ ବଟିଆ ଓ ନଟିଆ ନାମରେ ଦୁଇଭାଇ ଥିଲେ । ଦୁହିଁଙ୍କର ସ୍ଵଭାବ ଅଲଗା । ବଟିଆ କୁଟବୁଦ୍ଧିଆ, ନଟଖଟିଆ ଓ ଖଳ ପ୍ରକୃତିର ଲୋକ । ବାପ ମରିଗଲା ପରେ ସାନଭାଇ ନଟିଆକୁ ଠକି ଦେଇ ବଟିଆ ସବୁ ଧନର ମାଲିକ ହୋଇ ଆନନ୍ଦରେ ରହିଲା । ଆଉ ନଟିଆ କପାଳରେ ହାତମାରି ଦୁଃଖ ଭୋଗିଲା । ନଟିଆର ପିଲାମାନେ ଓଳିଏ ଖାଇଲେ ଓଳିଏ ଉପାସ ରହନ୍ତି । ସେ ମୂଲିଆ କାମ କରି ବହୁ କଷ୍ଟ ସହି ଘର ଚଳାଏ । ବଟିଆର ମନ୍ଦ ସ୍ଵଭାବ ଯୋଗୁ ଗାଁ ଲୋକେ ତାକୁ ଭଲ ପାଆନ୍ତି ନାହିଁ । ସେ ପରର ସୁଖସିରି ଦେଖିପାରେ ନାହିଁ, ଗାଁରେ କିଏ ଭଲ ଖାଇଲେ ଭଲ ପିନ୍ଧିଲେ ତା’ ଦିହରେ ଯାଏ ନାହିଁ । ସେ ମାଇପିଙ୍କ ଭଳି ଗରଗର ହୋଇ ସେମାନଙ୍କୁ ଦେଖାଇ ବାରକଥା କହେ । ଅଭାବ ଅସୁବିଧାରେ ପଡ଼ି ଗାଁ ଲୋକେ ଧାର ଉଧାର ପାଇଁ ତା’ ପାଖକୁ ଆସିଲେ ସେ ସେମାନଙ୍କ କଂସାବାସନ, ସୁନାଗହଣା ଇତ୍ୟାଦି ବନ୍ଧାରଖି ଚଢ଼ା ସୁଧରେ ଟଙ୍କା କରଜ ଦିଏ । ତା’ର ଇଚ୍ଛା ଗାଁ ଲୋକେ ତାକୁ ସବୁବେଳେ ଖୋସାମତି କରନ୍ତେ, ସବୁଠାରୁ ବଡ଼ବୋଲି କହି ବାହାବା କରନ୍ତେ, କିନ୍ତୁ କିଏ ବା କାହିଁକି ତାକୁ ଖୋସାମତ କରିବ ? ନିଜ ଦୁଃଖ ଧନ୍ଦା କରିବା ପାଇଁ ତ ସମୟ ଅଭାବ ।

 

ଦିନକଥା କଥା । ବର୍ଷା ପବନ ଜୋରରେ ହେଉଥାଏ । ଘରୁ ବାହାରକୁ ବାହାରିବା କାଠିକାର ପାଠ । ସେଦିନ ନଟିଆ ଆଉ କାମ ଧନ୍ଦାକୁ ଯାଇ ପାରିଲା ନାହିଁ । ସ୍ତ୍ରୀ ରାଧାକୁ ପାଖକୁ ଡାକିକହିଲା–ଆଜି କାମଧନ୍ଦା କରିବାକୁ ଯାଇ ହେବନି ଲୋ ରାଧା । ଘରେ ଯେଉଁ ଚାଉଳ ମୁଠାକ ଅଛି ତାକୁ ରାନ୍ଧି ଦେ, ଆଜି ଦିନଟା ହେଲେ ଚଳିଯାଉ ଠାକୁରଙ୍କ ଦୟାରେ କାଲିକୁ ବର୍ଷାପବନ ଛାଡ଼ିଗଲେ କାମଧନ୍ଦାକୁ ଯାଇ କିଛି ଆଣିବି । ରାଧା କହିଲା ରାନ୍ଧିବି ଯେ, ହେଲେ କାଠ କାଇଁ ? ନଟିଆ ବଡ଼ ବ୍ୟସ୍ତ ହୋଇ କହିଲା–କ’ଣ ଆଉ କରିବି ଜୋରରେ ବର୍ଷାପବନ ହେଉଛି, କୁଆଡ଼େ ଯିବି, କୋଉଠୁ କାଠ ଆଣିବି କହିଲୁ ? ବର୍ଷାଟା ଭଲା ଟିକିଏ ଛାଡ଼ି ଯାଇଥାନ୍ତା କେଉଁଠି କି ଯାଇ କାଠ ଦି’ଖଣ୍ଡ ଆଣି ଆସନ୍ତି । ରାଧା କହିଲା–କାହିଁକି ? ଆମ ବାଡ଼ିପଟେ ଯେଉଁ କାଠ ଗଣେଶ ମୂର୍ତ୍ତିଟା ଅଛି ସେଇଟାକୁ ହାଣିକରି ଆଣି ଆସ ଆଜି ଦିନକ ପାଇଁ ରୋଷେଇ ହୋଇଯିବ । ନଟିଆ ଗର୍ଜିଉଠି କହିଲା–କ’ଣ କହିଲୁ ? ମୋ ବାପା ଅଜା ସାତ ପୁରୁଷରୁ ଯେଉଁ ଠାକୁର ମୂର୍ତ୍ତି ଅଛନ୍ତି ତାଙ୍କୁ ମୁଁ ମୋ ନିଜ ହାତରେ ହାଣିବି ? ନହେଲା ନାଇଁ, ତୁମେମାନେ ଭୋକ ଉପାସରେ ମର । ଜାଣି ଜାଣି ମୁଁ ଗଣେଶ ଠାକୁରଙ୍କୁ ମୋ ହାତରେ ହାଣି ପାରିବି ନାହିଁ, ବୁଝିଲୁ ।

 

ସ୍ଵାମୀଙ୍କ କଥା ଶୁଣି ରାଧା ରାଗରେ ଗରଗର ହୋଇ କହିଲା–ରଖ ତୁମ ଠାକୁର । ତୁମେ ନଗଲେ ନାଇଁ ମୁଁ ଯାଉଛି ମୋରି ହାତରେ ସେଇ କାଠଗଣେଶକୁ ହାଣି ଆଣିବି । ଆଜି ଏମିତି ଅସୁବିଧା ଦିନଟାରେ ମୋ ପିଲାଛୁଆ କ’ଣ ଭୋକରେ ମରିବେ । ନଟିଆ ଦୀର୍ଘ ନିଶ୍ଵାସଟିଏ ମାରି ବଲବଲ କରି ରାଧା ମୁହଁକୁ ଘଡ଼ିଏ କାଳ ଚାହିଁ ରହି କହିଲା–ହଉ ଦେ, ମୋତେ କୁରାଢ଼ୀ ଦେ ମୁଁ ଯାଉଛି କାଠ ଗଣେଶଙ୍କୁ ହାଣି ଆଣିବି । ତୋର ଯିବା ଦରକାର ନାହିଁ ।

 

କାନ୍ଦ କାନ୍ଦ ହୋଇ କୁରାଢ଼ୀ କାନ୍ଧରେ ପକାଇ ନଟିଆ ସିଧା ଯାଇ ପହଁଞ୍ଚିଲା ବାଡ଼ିପଟେ ଥିବା ଗଣେଶଙ୍କ ପାଖରେ । କୁରାଢ଼ୀଟି ଗଣେଶଙ୍କ ପାଦତଳେ ରଖିଦେଇ ହାତଯୋଡ଼ି କାନ୍ଦି କାନ୍ଦି କହିଲା–ଠାକୁରେ । ମୋର କିଛି ଦୋଷ ନାହିଁ, ମୋ ପିଲାଛୁଆ ଭୋକ ଉପାସରେ ଛଟପଟ ହେଉଛନ୍ତି, ମୋ ସ୍ତ୍ରୀ ଜିଦ୍ କରିବାରୁ ମୁଁ ଆସିଛି ତୁମକୁ ହାଣିବା ପାଇଁ ମୁଁ ତୁମକୁ ନିଶ୍ଚୟ ହାଣିବି, ଏହା କହି ଠାକୁରଙ୍କୁ କୁରାଢ଼ୀ ଉଞ୍ଚାଇଲା । କିନ୍ତୁ ଏ କ’ଣ ହେଲା । କାଠଗଣେଶ ପାଟି ଖୋଲି କହିଲେ–ନଟିଆ । ବାବା ତୁ ମତେ ହାଣନା । ତୋର ଯେତେବେଳେ ଯାହା ଦରକାର ମୋ ପେଟକୁ ଆଉଁସି ଦେଇ ମାଗିଲେ ମୁଁ ଦେଇଦେବି । ଠାକୁରଙ୍କ କଥାଶୁଣି ନଟିଆ କାଠଭୂତ ପାଲଟିଗଲା । ତା’ ହାତରୁ କୁରାଢ଼ୀଟି ଆପେ ଆପେ ଖସି ପଡ଼ିଲା । ସେ ଖାଲି କଲବଲକରି ଠାକୁରଙ୍କୁ ଚାହିଁ ରହିଥାଏ । ଠାକୁର ପୁଣିଥରେ କହିଲେ–ଆରେ ବାବା । ଆଉ ଚାହିଁଛୁ କ’ଣ ? ମୁଁ ଯାହା କହିଲି ସେଇଆ କର ଦେଖିବୁ ଦିନ କେଇଟାରେ ତୋ ଭାଗ୍ୟ ବଦଳିଯିବ । ନଟିଆ ଡରିମରି ଠାକୁରଙ୍କ ପେଟ ଆଉଁସି ଦେଇ କହିଲା–ଠାକୁରେ । ତୁମେ ତ ସବୁଜାଣ ମୁଁ ଆଉ କ’ଣ କହିବି । ମୋ ପିଲାମାନେ କାଲି ରାତିରୁ ଭୋକ ଉପାସରେ ଛଟପଟ ହେଉଛନ୍ତି । ସେମାନଙ୍କ ପାଇଁ କିଛି ଖାଇବାକୁ ଦିଅ । ତା’ପାଟିରୁ କଥା ସାରିବା ଆଗରୁ ତା’ ସାମନାରେ ଦୁଇଥାଳି ପିଠା ଓ ଲଡ଼ୁ ଆସି ଥୁଆ ହୋଇଗଲା, ତା’ର ଆନନ୍ଦ କହିଲେ ନସରେ । ପିଠା ଲଡ଼ୁକୁ ଗାମୁଛାରେ ବାନ୍ଧି ଠାକୁରଙ୍କୁ ଭକ୍ତିରେ ମୁଣ୍ଡିଆଟିଏ ମାରି ଘରକୁ ଫେରିଲା । ପିଲାମାନଙ୍କୁ ଖୁସିରେ ଖାଇବାକୁ ଦେଇ ରାଧା ଆଗରେ ସବୁକଥା କହିଲା, ସେଇଦିନଠାରୁ ନଟିଆ ମହା ଆରମରେ ଦିନ କାଟିଲା, କିନ୍ତୁ କାମଧନ୍ଦା କରିବାକୁ ସବୁଦିନ ଯାଉଥାଏ । କେଉଁ ଦିନ ଅସୁବିଧା ହେଲେ ଠାକୁରଙ୍କ ପେଟ ଆଉଁସି ଦେଇ ଖାଇବାକୁ ନେଇଆସେ । ଠାକୁରଙ୍କ ଦୟାରୁ କେଉଁଦିନ ପିଠାଲଡ଼ୁ ପାଏ ତ କେଉଁଦିନ ସରୁ ଅରୁଆଭାତ, କ୍ଷୀରୀ, ପୁରି ପାଏ । ତା’ ସ୍ତ୍ରୀ ଦିନେ ତାକୁ କହିଲା–ତୁମେ ଆଉ ସବୁଦିନ କାମଧନ୍ଦାକୁ ନଯାଇ ଠାକୁରଙ୍କ ପାଖରୁ ଖାଇବାକୁ ନେଇଆସ । ନଟିଆ କହିଲା–ସେ କଥା ହୋଇ ପାରିବ ନାହିଁ-। ଠାକୁର ଦୟାକଲେ ବୋଲି ମୁଁ ସବୁ ଦିନ ତାଙ୍କଠାରୁ ଖାଇବା ଜିନିଷ ଆଣି ଖାଇବି । ଯେଉଁଦିନ ଅସୁବିଧା ହେବ ସେଦିନ ତାଙ୍କଠାରୁ ଖାଦ୍ୟ ଆଣି ଖାଇବା ବୁଝିଲୁ ।

 

ନଟିଆ ମହାଆନନ୍ଦରେ ଚଳୁଛି ଏ କଥା ବଟିଆର ସ୍ତ୍ରୀ ଶୋଭା ଜାଣିପାରି ବଟିଆକୁ କହିଲା । ବଟିଆ କହିଲା–ମୁଁ ଭାବୁଛି ନଟିଆ ବୋଧେ କେଉଁଠୁ କିଛି ଚୋରାଧନ ଯାଇ ଯାଇଛି, ନହେଲେ ଭଲରେ ଚଳୁଛି କେମିତି ? ଅଭାବ ଯୋଗୁଁ ତ ସ୍ଵାମୀ ସ୍ତ୍ରୀ ଦୁହେଁ ରୋଜ କଜିଆ ଲାଗୁଥିଲେ, ଏବେ ସେମାନଙ୍କ ଭାଗ୍ୟ ବଦଳିଲା କେମିତି ? ଶୋଭା ପକା ଉଦ୍ଦଣ୍ଡୀ । ବଟିଆକୁ ସବୁବେଳେ ଡରେଇ କରି ରଖିଥାଏ । ବଟିଆକୁ ନକହି ଯୁଆଡ଼େ ଇଚ୍ଛା ସିଆଡ଼େ ଯାଏ । ବଟିଆ ତାକୁ ବାରଣ କଲେ ସିଏ ତାକୁ ଯାହାଇଚ୍ଛା ତାହା କହେ । ବଟିଆ ବିଚାରା ଶୋଭାକୁ ସବୁବେଳେ ଭୟକରି ରହିଥାଏ । ଶୋଭା ମୁହଁ ହଲାଇ ବଡ଼ପାଟି କରି କହିଲା–ନଟିଆ କେମିତି ଭଲରେ ଚଳୁଛି ଆଜି ସଞ୍ଜସୁଦ୍ଧା ମୋତେ ନକହିବ ତେବେ ଜାଣିବ ମୁଁ କିଏ ? ଶୋଭା କଥା ଶୁଣି ବଟିଆ ନରମି ଯାଇ କହିଲା–ନଟିଆ ମୋର ସାନ ଭାଇ, ତା’ ସ୍ତ୍ରୀର ମୁଁ ଦେଢ଼ଶୁର, କେମିତି ଯାଇ ତାଙ୍କ ଘରୁ ଏସବୁ କଥା ବୁଝିବି କହିଲୁ, ବରଂ ତୁ କିଛି କାମ ବାହାନାରେ ତା’ ଘରକୁ ଯାଇ ତା’ ସ୍ତ୍ରୀ ଠାରୁ ସବୁକଥା ବୁଝିକରି ଆସ । ବଟିଆ କଥା ଶୋଭା ମନକୁ ପାଇଲା । ସେ ଆଉ ଡେରି ନକରି ସିଧା ଯାଇ ପହଁଞ୍ଚିଲା ରାଧା ଘରେ । ଦେଖିଲା ରାଧା ବସି ରୋଷେଇ କରୁଛି । ତାକୁ କଁଅଳେଇ କରି କହିଲା-କିଲୋ ରାଧା । ଆଜି ତ ଭାରି ବେଳାବେଳି ରୋଷେଇ ଆରମ୍ଭ କଲୁଣି । ବଡ଼ ଯାଆ କେବେ ତା’ ଘରକୁ ଆସେ ନାହିଁ, ଆଜି କେମିତି ଆସିଛି ଭାବି ରାଧା ଶୋଭାକୁ ବଡ଼ ଆଦରରେ ଘରେ ନେଇ ବସେଇଲା । ଶୋଭା ରାଧା ସାଙ୍ଗରେ ମଜାଗପ କରି ସେମାନେ କିପରି ଭଲରେ ଚଳୁଛନ୍ତି ଗୋଟି ଗୋଟି କରି ବୁଝି ସିଧା ଘରକୁ ଫେରିଆସି ବଟିଆକୁ କହିଲା । ବଟିଆ କହିଲା–ହଅ, ଏମିତି ଭାତ ଗଣ୍ଡେ ପିଠା ଖଣ୍ଡେ ପାଇ ସେ କ’ଣ ଆମ ଭଳିଆ ଧନୀ ହୋଇ ପାରିବ ? ଶୋଭା ବଟିଆକୁ କହିଲା–ଚୁପ୍‌ କର । ସେ ଠାକୁରଙ୍କ ଦୟାରୁ ଯାହା ଇଚ୍ଛା ତାହା ପାଇବ ଆଉ ଦିନ କେଇଟାରେ ବିରାଟ ଧନୀହୋଇ ଆମକୁ ମଧ୍ୟ ଟପିଯିବ । ଯଦି ଭଲ ଦଶା ଅଛି ତେବେ ତୁମେ ଯାଇ ଠାକୁରଙ୍କୁ ହାଣିଦେବାର ଅଭିନୟ କର । ଦେଖିବ ଆମେ ବି କିଛି ଠାକୁରଙ୍କ ଦୟାରୁ ପାଇଯିବା । ଆମର କ’ଣ ଠାକୁରଙ୍କ ଉପରେ ଅଧାଭାଗ ନାହିଁ ? ସ୍ତ୍ରୀ ବୁଦ୍ଧିଆ ବଟିଆ ଶୋଭା କଥାରେ କୌଣସି ପ୍ରତିବାଦ ନକରି କାନ୍ଧରେ କୁରାଢ଼ୀ ପକାଇ ସିଧା ଯାଇ ପହଁଞ୍ଚିଲା ବାଡ଼ିପଟେ ଥିବା ଗଣେଶଙ୍କ ପାଖରେ ।

 

ପୂର୍ବରୁ ନଟିଆ କରିଥିବା ଭଳି ସେ ଗଣେଶଙ୍କ ପାଦତଳେ କୁରାଢ଼ୀଟି ଥୋଇଦେଇ ଅତି ବିନୟ ଭାବରେ କହିଲା–ଠାକୁରେ । ମୋର କିଛି ଦୋଷ ନାହିଁ । ଯେହେତୁ ମୋ ସ୍ତ୍ରୀ କହିଲା ତୁମ ଉପରେ ଆମର ବି ଅଧା ଭାଗ ଅଛି, ମୁଁ ତମକୁ ହାଣିବାକୁ ଆସିଛି । ଏହା କହି ଯେମିତି କୁରାଢ଼ୀ ଉଞ୍ଚାଇଛି ଗଣେଶଙ୍କୁ ହାଣିଦେବା ପାଇଁ, ଗଣେଶ କହି ଉଠିଲେ–ରହ ରହ ବାବା ମୋତେ ତୁ ହାଣନା, ତୋ ପ୍ରତି ମୋର ବି ଦୟା ଅଛି । ତୋର ଯେତେବେଳେ ଯାହା ଦରକାର ମୋ ଶୁଣ୍ଢକୁ ଆଉଁସି ଦେଇ ମାଗିଲେ ତୁ ପାଇଯିବୁ । ବଟିଆ ଭବିଲା ଯାହା ହେଉ ଠାକୁରେ ତା’ କଥା ଶୁଣିଲେ । ଲୋଭୀ ବଟିଆ ଠାକୁରଙ୍କ କଥା ଶୁଣି କୁରାଢ଼ୀଟା ଫୋପାଡ଼ି ଦେଇ ଆନନ୍ଦରେ ତାଙ୍କ ଶୁଣ୍ଢକୁ ଜୋରରେ ଧରି ପକେଇ କହିଲା–ଠାକୁରେ ଯେବେ ମୋ ଉପରେ ଦୟା କରିଛ, ତେବେ ମୋତେ ପାଞ୍ଚଟା ସୁନାମାଳି ଦିଅ । କିନ୍ତୁ ଏ କ’ଣ ହେଲା । ତା’ ହାତ ଠାକୁରଙ୍କ ଶୁଣ୍ଢରେ ଲାଗି ରହିଲା କାହିଁକି । ଯେତେ ଚେଷ୍ଟା କଲେ ବି ହାତ ଖସିଲା ନାହିଁ । କ’ଣ କରିବ ? ପିଲାଙ୍କ ଭଳି ଖାଲି ସେ କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲା ।

 

ସ୍ଵାମୀର ଫେରିବା ଡେରି ହେବାରୁ ଶୋଭା ଆସି ବାଡ଼ିଆଡ଼େ ପହଞ୍ଚିଲା । ଦେଖିଲା ସ୍ଵାମୀ ତା’ର ଏଭଳି ଅବସ୍ଥାରେ ପଡ଼ିଛି । କିଛି ଉପାୟ ନପାଇ ସେ ସ୍ଵାମୀ ଅଣ୍ଟାକୁ ଧରି ଟାଣିଲା ତାକୁ ଖସାଇ ଆଣିବା ପାଇଁ । ଏ କ’ଣ ହେଲା, ଶୋଭା ହାତ ବି ବଟିଆ ଅଣ୍ଟାରେ ଲାଗି ରହିଲା । ସ୍ଵାମୀ ସ୍ତ୍ରୀ ଦୁହେଁ ଛନ୍ଦା ଛନ୍ଦି ହୋଇ ଗୋଟାଏ ଜାଗାରେ ଅଟକି ରହିଲେ । ଶେଷରେ ସେମାନେ ନିରୁପାୟ ହୋଇ ନିଜର ଭୁଲ ବୁଝି ପାରି ଠାକୁରଙ୍କୁ କାନ୍ଦି କାନ୍ଦି ପ୍ରାର୍ଥନା କଲେ । କିଛି ସମୟ ପରେ ଠାକୁରେ ହସି ହସି କହିଲେ–ବାବା ବଟ । ମୋ ଉପରେ ତୋର ଯେମିତି ଅଧାଭାଗ ଅଛି, ତୁମ ମାନଙ୍କର ପିତୃ ଅର୍ଜିତ ଧନରେ ତୋର ସାନ ଭାଇର ବି ଅଧା ଭାଗ ଅଛି । ପିତୃ ଅର୍ଜିତ ଧନ ତୁ ନଟିଆକୁ ଅଧା ଭାଗ ନଦେଇ ତାକୁ ଗରିବ କରି ରଖିଛୁ । ସେ ଗରିବ ଥିବାରୁ ମୁଁ ତାକୁ ଦୟା କରିଥିଲି । ତୁ ସ୍ତ୍ରୀ ବୁଦ୍ଧିରେ ପଡ଼ି ତା’ ଉପରେ ହିଂସା କଲୁ । ଫଳରେ ସ୍ଵାମୀ ସ୍ତ୍ରୀ ଦୁହେଁ ଯାକ ଏଠାରେ ଏପରି ଦଣ୍ଡ ଭୋଗ କରୁଛ । ଯଦି ନଟିଆକୁ ସବୁଯାକ ଧନରୁ ଅଧା ଭାଗ ଦେବା ପାଇଁ ରାଜିହେବ ତେବେ ତୁମେମାନେ ମୁକ୍ତି ପାଇବ । ନଚେତ ତୁମମାନଙ୍କର ଜୀବନ ଶେଷ କରିଦେବି । ସଙ୍ଗେ ସଙ୍ଗେ ସ୍ଵାମୀ ସ୍ତ୍ରୀ ଦୁହେଁ ସବୁଯାକ ଧନରୁ ନଟିଆକୁ ଅଧା ଭାଗ ଦେବେ ବୋଲି ରାଜି ହୋଇଗଲେ । ସେମାନଙ୍କର ହାତ ସବୁ ଖସି ଆସିଲା ।

Image

ସ୍ତ୍ରୀ ବୁଦ୍ଧିଆ ବଟ ନିଜର ଭୁଲ ବୁଝିପାରିଲା । ଡେରି ନକରି ସାନ ଭାଇ ନଟିଆକୁ ଡାକି ସମସ୍ତ ସମ୍ପତ୍ତି ବାଡ଼ିରୁ ଅଧା ଭାଗ ଦେଲା । ସେହି ଦିନ ଠାରୁ ନଟିଆ ମଧ୍ୟ ମହାସୁଖରେ ଦିନ କାଟିଲା ।

Image

 

॥ ଗରିବ ବ୍ରାହ୍ମଣ ଧନୀ ହେଲେ ॥

 

ଅନେକ ଦିନ ତଳର କଥା । ରାଧାଦେଇ ପୁର ଶାସନରେ ରାମ ମିଶ୍ର ନାମରେ ଜଣେ ବ୍ରାହ୍ମଣ ଥିଲେ । ସେ ଅତ୍ୟନ୍ତ ଗରିବ ଥିବାରୁ ପରିବାର ସହ ବଡ଼ ଦୁଃଖରେ କାଳ କାଟୁଥିଲେ । ଦିନେ ବ୍ରାହ୍ମଣୀ ବ୍ରାହ୍ମଣଙ୍କୁ କହିଲେ–ଆଉ କେତେଦିନ ଧରି ଆମେ ଦୁଃଖରେ କାଳକାଟିବା, ତୁମେ ସହରକୁ ଯାଇ କିଛି କାମଧନ୍ଦା ଯୋଗାଡ଼ କର । ବ୍ରାହ୍ମଣୀର କଥା ବ୍ରାହ୍ମଣଙ୍କ ମନକୁ ଠିକ୍ ପାଇଗଲା-। ପରଦିନ ସକାଳୁ ଉଠି ସେ ସହରକୁ ଯିବା ପାଇଁ ଠିକ୍‍ କଲେ । ତାଙ୍କ ଗାଁଠାରୁ ସହର ପ୍ରାୟ ତିରିଶି ମାଇଲ ଦୂରହେବ । ସେ ସକାଳୁ ଉଠି ନିତ୍ୟକର୍ମ ସାରି ନିଜର ଲୁଗାପଟା ଦି’ଖଣ୍ଡକୁ ଗୋଟିଏ ଗଣ୍ଠିଲି କରି ଘରୁ ବାହାରିପଡ଼ିଲେ । ଗଲାବେଳେ ବ୍ରାହ୍ମଣୀ ଗୋଟିଏ ପୁଡ଼ିଆରେ କିଛି ପିଠା ଆଣି ଗଣ୍ଠିଲିରେ ପୁରାଇ ଦେଇ କହିଲା–ବାଟରେ ଭୋକ ଲାଗିଲେ ୟାକୁ ବାହାରକରି ଖାଇବ ।

 

ବାଟ ଚାଲି ଚାଲି ସନ୍ଧ୍ୟା ହୋଇଗଲା । ବ୍ରାହ୍ମଣ ହାଲିଆ ହୋଇ ହୋଇ ରାସ୍ତା କଡ଼ରେ ଥିବା ବରଗଛ ମୂଳରେ ରାତିଟା କଟାଇ ନେବାକୁ ଭାବିଲେ । ତାହା ହିଁ ହେଲା । ବ୍ରାହ୍ମଣୀ ଦେଇଥିବା ପୁଡ଼ିଆଟିକୁ ଖୋଲିଲେ । ଦେଖିଲେ ସେଥିରେ ମାତ୍ର ଚାରୋଟି ମଣ୍ଡାପିଠା ଅଛି । ଭୋକରେ ପେଟ ଜଳୁଥାଏ । ମନକୁମନ ସେ କହିଲେ–ଏଥିରୁ ଗୋଟିଏ ଖାଇବି, ନା ଦୁଇଟି ଖାଇବି, ନା ତିନୋଟି ଖାଇବି, ନା ଚାରୋଟିଯାକ ଏକାଥରକେ ଖାଇଦେବି । ସେଇ ବରଗଛ ଉପରେ ଚାରୋଟି ଭୂତ ରହୁଥିଲେ । ସେମାନେ ଭାବିଲେ ବ୍ରାହ୍ମଣ ବୋଧେ ସେମାନଙ୍କୁ ଖାଇଦେବା ପାଇଁ ଚିନ୍ତା କରୁଛି । ଭୟରେ ଚାରୋଟିଯାକ ଭୂତ ତଳକୁ ଓହ୍ଲାଇ ଆସି ବ୍ରାହ୍ମଣ ଗୋଡ଼ତଳେ ପଡ଼ି କହିଲେ–ହେ ବ୍ରାହ୍ମଣ ଗୋସାଇଁ ଆମେ ତୁମର କି ଦୋଷ କଲୁ ଯେ ଆମକୁ ଖାଇ ଦେବାପାଇଁ ବସିଛ । ତୁମେ ଆମକୁ ଛାଡ଼ିଦିଅ । ତୁମର ଯାହା ଦରକାର କହିଲେ ଆମେ ତୁମକୁ ଦେବୁ ।

 

ବ୍ରାହ୍ମଣ ସବୁକଥା ଠିକ୍ ଭାବରେ ବୁଝିଗଲେ ଓ ଭୂତମାନଙ୍କୁ ନାଲିଆଖି ଦେଖାଇ କହିଲେ–ମୁଁ ହେଉଛି ଭାରି ଗରିବ ଲୋକ । ମୋର ଜମିବାଡ଼ି ଧନସମ୍ପତ୍ତି କିଛିନାହିଁ । ତୁମେମାନେ ମୋତେ ଏମିତି ସାହାଯ୍ୟ କର, ସେପରି କି ଚିରଦିନ ପାଇଁ ମୋର ଖାଇବା ପିଇବାର କୌଣସି ଅସୁବିଧା ରହିବ ନାହିଁ । ଏହା ଯଦି ନକରି ପାରିବ ତୁମମାନଙ୍କୁ ଆଜି କଞ୍ଚାଚୋବାଇ ଖାଇଦେବି । ବ୍ରାହ୍ମଣ କଥାଶୁଣି ଭୂତମାନେ ପ୍ରାଣଭୟରେ ଗଛ ଉପରକୁ ଚଢ଼ିଯାଇ ଗୋଟିଏ ଝୁଲାମୁଣି ଆଣି ବ୍ରାହ୍ମଣକୁ ଦେଇ କହିଲେ–ଏଇଟିକୁ ପାଖରେ ରଖ । ତୁମର ଯେତେବେଳେ ଯାହା ଦରକାର ୟାକୁ ମାଗିଲେ ସହଜରେ ମିଳିଯିବ । ମନ ଖୁସିରେ ବ୍ରାହ୍ମଣ ସେଠାରେ ରାତିଟି କଟାଇ ପରଦିନ ସକାଳୁ ଝୁଲାମୁଣିଟିକୁ କାନ୍ଧରେ ପକାଇ ଘରକୁ ଫେରିଲେ ।

 

ଫେରିବା ସମୟରେ ଗୋଟିଏ ଗାଁ ନିକଟରେ ସନ୍ଧ୍ୟା ହୋଇଯିବାରୁ ଆଉ ଆଗକୁ ନଯାଇ ସେଇ ଗାଁରେ ରାତିଟି କଟାଇ ନେବାପାଇଁ ଭାବି ବ୍ରାହ୍ମଣ ଗାଁ ଭିତରକୁ ଗଲେ । ଜଣକ ଘର ପାଖରେ ପହଞ୍ଚି ଗୃହ ସ୍ଵାମୀଙ୍କୁ କହିଲେ–ମୋତେ ଆଜି ରାତିକ ପାଇଁ ଟିକିଏ ଆଶ୍ରୟ ଦେଇ ପାରିବ ? ଗୃହ ସ୍ଵାମୀ କହିଲେ–ବ୍ରାହ୍ମଣ ଗୋସାଇଁ । ମୁଁ ନିହାତି ଗରିବ ଲୋକ । ଜାତିରେ ବଣିଆ । ଆପଣ ଯେବେ ମୋ ଘରେ ରାତି କଟାଇବା ପାଇଁ ଆଗ୍ରହୀ ମୋର କିଛି ଆପତ୍ତି ନାହିଁ । ହେଲେ ମୁଁ ଆପଣଙ୍କୁ କିଛି ଖାଇବାକୁ ଦେଇ ପାରିବି ନାହିଁ । ମୋ ଘରେ ଆଜିକି ତିନିଦିନ ହେବ ଚୁଲି ଜଳୁନାହିଁ । ବ୍ରାହ୍ମଣ ବଣିଆ କଥା ଶୁଣି କହିଲେ...ମୋ ଖାଇବା କଥା ମୁଁ ନିଜେ ବୁଝିବି । ଦରକାର ହେଲେ ତୁମସାରା ପରିବାର ପାଇଁ ଆଜି ରାତିକ ପାଇଁ ଖାଦ୍ୟ ଯୋଗାଇ ଦେବି । ମୋତେ ଗୋଟିଏ ବଖରା ଘର ଛାଡ଼ିଦିଅ । ବ୍ରାହ୍ମଣ କହିବା ମୁତାବକ ବଣିଆ ଗୋଟିଏ ବଖରା ଘର ଖାଲି କରିଦେଲା । ବ୍ରାହ୍ମଣ ସେଇ ଘରେ କବାଟ କିଳିକରି ବସିଲେ ।

 

ବଣିଆ ଓ ତା’ ପୁଅ ବଡ଼ ଆଗ୍ରହରେ କବାଟ ଫାଙ୍କରେ ରହି ଦେଖୁଥାଆନ୍ତି ବ୍ରାହ୍ମଣ କ’ଣ କରୁଛନ୍ତି । ସେମାନେ ଦେଖିଲେ, ବ୍ରାହ୍ମଣ ଗୋଟିଏ ଝୁଲାମୁଣିକୁ ଚୁପ୍‌ଚାପ୍ କହୁଛନ୍ତି–ରେ’ ଝୁଲାମୁଣି । ଦଶ ଜଣଙ୍କ ଖାଇବା ପାଇଁ ଶୀଘ୍ର ଭଲ ଭଲ ଖାଦ୍ୟ ବାହାର କର । ସଙ୍ଗେ ସଙ୍ଗେ ବ୍ରାହ୍ମଣ ସାମନାରେ ଖାଦ୍ୟ ଥାଳିମାନ ଆସି ଥୁଆହୋଇ ଗଲା । ଏ ସବୁ ଦେଖି ବାପ ପୁଅ ଦିହେଁ ବହୁତ ଆଶ୍ଚର୍ଯ୍ୟ ହୋଇଗଲେ ଓ ନିଜ ନିଜ ଜାଗାକୁ ଚାଲିଆସି କିଛି ନଜାଣିଲା ପରି ବସି ରହିଲେ । କିଛି ସମୟପରେ ବ୍ରାହ୍ମଣ କବାଟ ଖୋଲି ବଣିଆକୁ ଡାକି ଖାଇବା ଜିନିଷ ତକ ଦେଲେ, ଖାଇବା ଜିନିଷ ନେଇ ବଣିଆ ତା’ର ପିଲାମାନଙ୍କୁ ଖାଇବାକୁ ଦେଲା । ରାତି ବେଶି ହେଲା । ସମସ୍ତେ ଯିଏ ଯୁଆଡ଼େ ଶୋଇଗଲେ । ବ୍ରାହ୍ମଣ ମଧ୍ୟ ଆରାମରେ ଶୋଇ ପଡ଼ିଲେ । ଅଧରାତିରେ ବାପ ପୁଅ ଦିହେଁଯାକ ବ୍ରାହ୍ମଣ ରହୁଥିବା ଘରେ ପଶି ଝୁଲାମୁଣିଟି ଆଣି ଲୁଚାଇ କରି ରଖିଦେଲେ । ତା’ପରେ ବ୍ରାହ୍ମଣର ହାତଗୋଡ଼ ବାନ୍ଧି ଗାଁ ବାହାରେ ଥିବା ପଡ଼ିଆରେ ଫୋପାଡ଼ି ଦେଇ ଆସିଲେ ।

 

ସକାଳ ହେଲା । ବ୍ରାହ୍ମଣଙ୍କର ନିଦ ଭାଙ୍ଗିଲା । ସେ ଦେଖିଲେ ତାଙ୍କର ଅବସ୍ଥା ଏପରି । କ’ଣ କରିବେ । ରାସ୍ତାରେ ଯାଉଥିବା ଲୋକମାନଙ୍କୁ ଡାକି ତାଙ୍କୁ ଖୋଲିଦେବା ପାଇଁ କହିଲେ । ଲୋକମାନେ ତାଙ୍କୁ ଖୋଲିଦେଲେ । ସେ ଦୀର୍ଘ ନିଶ୍ଵାସଟିଏ ମାରି ଟିକିଏ ବସିପଡ଼ିଲେ । ତା’ପରେ ସିଧା ଚାଲିଲେ ସେଇ ବରଗଛ ପାଖକୁ । ବରଗଛ ପାଖରେ ପହଁଞ୍ଚି ବଡ଼ ପାଟିରେ ଭୂତମାନଙ୍କୁ ଡାକିଲେ । ତାଙ୍କ ଡାକ ଶୁଣି ଭୂତମାନେ ଡରିମାରି ତଳକୁ ଓହ୍ଲାଇ ଆସି ଲମ୍ବ ଲମ୍ବ ହୋଇ ତାଙ୍କ ଗୋଡ଼ ତଳେ ପଡ଼ିଲେ । ସେ ଭୂତମାନଙ୍କୁ କହିଲେ–କିଛି ଭୟ କରନାହିଁ । ତୁମେମାନେ ମୋତେ ଯେଉଁ ଝୁଲାମୁଣି ଦେଇଥିଲ ତାହା ଚୋରି ହୋଇଗଲା । ସେଇଥିପାଇଁ ମୁଁ ତୁମମାନଙ୍କ ପାଖକୁ ଫେରି ଆସିଲି ।

 

ଭୂତମାନେ କହିଲେ–ଗୋସାଇଁ । ଏଇଥିପାଇଁ ଆଦୌ ଚିନ୍ତା କରନ୍ତୁ ନାହିଁ । ଆମେ ଆପଣଙ୍କୁ ଗୋଟିଏ ଠେଙ୍ଗା ଓ ଗୋଟିଏ ଶଙ୍ଖ ଦେବୁ । ଯେତେବେଳେ ଯାହାକୁ ପିଟିବା ପାଇଁ କହିଲେ ଏହି ଠେଙ୍ଗା ଡେରି ନକରି ଖୁବ୍ ଜୋରରେ ପିଟିବ । ବନ୍ଦ ହେବାପାଇଁ କହିଲେ ବନ୍ଦ ହୋଇଯିବ । ଆଉ ଏଇ ଶଙ୍ଖଟି ତୁମର କିଛି ଉପକାରରେ ଆସିବ ନାହିଁ । କେବଳ ବଡ଼ ବଡ଼ କଥା କହିବ । ବ୍ରାହ୍ମଣ କହିଲେ–ବାସ୍ ଠିକ୍ ଅଛି । ଏବେ ମୋତେ ସେହି ଠେଙ୍ଗା ଓ ଶଙ୍ଖ ଦିଅ । ତାହା ମୋର ଖୁବ୍ ଦରକାରରେ ଆସିବ । ଭୂତମାନେ ବ୍ରାହ୍ମଣକୁ ଠେଙ୍ଗା ଓ ଶଙ୍ଖ ଦେଇ ଗଛ ଉପରକୁ ଉଠିଗଲେ । ବ୍ରାହ୍ମଣ ଠେଙ୍ଗା ଓ ଶଙ୍ଖ ଧରି ଜୋରରେ ଚାଲି ଚାଲି ଆସି ସନ୍ଧ୍ୟାବେଳକୁ ସେଇ ଗାଁର ସେଇ ବଣିଆ ଘରେ ପହଞ୍ଚି ରାତି କଟାଇବା ପାଇଁ ବଣିଆକୁ ଅନୁରୋଧ କଲେ । ବଣିଆ ବ୍ରାହ୍ମଣକୁ ଦେଖି ଖୁବ୍ ଆଦର ସହକାରେ ନିଜ ଘରେ ସ୍ଥାନଦେଲା । କାରଣ ସେ ଭାବିଥିଲା ଏଥର ବ୍ରାହ୍ମଣ ବୋଧେ ଆଉ କିଛି ନୂଆ ଜିନିଷ ଆଣିଥିବ ବୋଲି ।

 

ବ୍ରାହ୍ମଣ ଖାଇବାକୁ ମନାକରି ପୂର୍ବ ରାତିରେ ରହୁଥିବା ଘରେ କବାଟ କିଳିଦେଇ ବସିଲେ । ବଣିଆ ଓ ତା’ ପୁଅ ଆସି ଦୁଆର ମୁହଁରେ ଠିଆହୋଇ କବାଟ ଫାଙ୍କରେ ଚାହିଁଲେ । ଏଥର ବ୍ରାହ୍ମଣ କ’ଣ ସବୁ ନୂଆ ଜିନିଷ ଆଣିଛି । ସେଥିରୁ କ’ଣ ସବୁ ବାହାର କରୁଛି । ସେମାନେ ଦେଖିଲେ ବ୍ରାହ୍ମଣ ଶଙ୍ଖଟିଏ ତଳେ ରଖି କହୁଛି–ରେ ଶଙ୍ଖ ! ମୋତେ ଶୀଘ୍ର ପାଞ୍ଚଶହ ଟଙ୍କା ଦେ । ଶଙ୍ଖ ବ୍ରାହ୍ମଣଙ୍କୁ ଉତ୍ତର ଦେଉଛି–ଆରେ ମୂର୍ଖ ବ୍ରାହ୍ମଣ । ତୁ ସାମାନ୍ୟ ପାଞ୍ଚଶହ ଟଙ୍କା କ’ଣ ମୋତେ ମାଗୁଛୁ ? ପାଞ୍ଚ ହଜାରେ ମାଗ୍, ପାଞ୍ଚ ଲକ୍ଷ ମାଗ୍ ମୁଁ ଦେବା ପାଇଁ ସକ୍ଷମ ଅଛି । ବଣିଆ ଓ ତା’ ପୁଅ ଏତିକି ଶୁଣି ବହୁତ ଆନନ୍ଦ ହୋଇ କବାଟ ଫାଙ୍କରୁ ନିଜ ନିଜ ସ୍ଥାନକୁ ଫେରି ଆସିଲେ । ବ୍ରାହ୍ମଣ ଶଙ୍ଖ ସହ କଥାବାର୍ତ୍ତା ସାରି ଶଙ୍ଖଟିକୁ ମୁଣ୍ଡତଳେ ରଖି ଗଭୀର ନିଦ ହେଲାଭଳି ଶୋଇ ପଡ଼ିଲେ ।

Image

ରାତି ଅଧହେଲା । ବଣିଆ ଓ ତା’ ପୁଅ ବ୍ରାହ୍ମଣ ଶୋଇଥିବା ଘରେ ପଶି ଶଙ୍ଖକୁ ଖୋଜିଲେ । ଦେଖିଲେ ତାହା ବ୍ରାହ୍ମଣ ମୁଣ୍ଡତଳେ ରହିଛି । ଯେମିତି ବଣିଆ ଶଙ୍ଖକୁ ଟାଣିଛି ବ୍ରାହ୍ମଣ ଉଠିପଡ଼ି କହିଲେ–ରେ ଠେଙ୍ଗା ! ଏଇ ଚୋରମାନଙ୍କୁ ଜୋରରେ ପିଟ୍ । ବ୍ରାହ୍ମଣ ଆଦେଶ ପାଇବା ମାତ୍ରେ ଠେଙ୍ଗା ବଣିଆ ବାପ ପୁଅଙ୍କୁ ଖୁବ୍ ଜୋରରେ ପିଟିବାକୁ ଲାଗିଲା । ଉପାୟ ନପାଇ ବାପ ପୁଅ ଦୁହେଁଯାକ ବ୍ରାହ୍ମଣ ଗୋଡ଼ତଳେ ଲମ୍ବ ଲମ୍ବ ହୋଇପଡ଼ି କହିଲେ–ହେ ଗୋସାଇଁ ମହାପ୍ରଭୁ ! ଦୟାକରି ଆମର ଦୋଷ କ୍ଷମା କରନ୍ତୁ । ଆପଣଙ୍କର ଝୁଲାମୁଣି ଆମେ ଫେରାଇ ଦେବୁ । ଆଉ ଆମକୁ ନପିଟିବା ପାଇଁ ଠେଙ୍ଗାକୁ ଆଦେଶ କରନ୍ତୁ ।

 

ଠେଙ୍ଗାକୁ ବନ୍ଦ ହୋଇଯିବା ପାଇଁ ବ୍ରାହ୍ମଣ ଆଦେଶ ଦେଲେ । ଆଉ ଡେରି ନକରି ବଣିଆ ଝୁଲାମୁଣିଟି ଆଣି ବ୍ରାହ୍ମଣ ହାତରେ ଦେଲା । ବ୍ରାହ୍ମଣ ପରଦିନ ସକାଳୁ ଉଠି ଝୁଲାମୁଣି, ଠେଙ୍ଗା ଓ ଶଙ୍ଖ ଧରି ଗାଁକୁ ବାହାରିଲେ । ଗାଁରେ ପହଞ୍ଚି ମହା ସୁଖରେ ଦିନ କାଟିଲେ । ତାଙ୍କର ଆଉ କୌଣସି ଅଭାବ ଅସୁବିଧା ରହିଲା ନହିଁ ।

Image

 

॥ ସୁନାବୋହୂ ॥

 

ବହୁଦିନ ତଳର କଥା । ଯୋରନ୍ଦା ଗାଁରେ ଜଣେ ବହୁତ ଧନୀ ମହାଜନ ବାସ କରୁଥିଲେ । ତାଙ୍କ ନାଁ ରଘୁସାହୁ । ସେ ବହୁ ଧନ ଓ କୋଠାବାଡ଼ିର ମାଲିକ । ବିନୋଦ ବୋଲି ତାଙ୍କର ଗୋଟିଏ ପୁଅ । ମହାଜନ ପୁଅକୁ ବାହାକରି ଘରକୁ ବୋହୂଟିଏ ଘରକୁ ଆଣିଲେ । ବୋହୂର ନାମ ଲୀଳାବତୀ । ବୋହୂ ଗୁଣବତୀ ଓ ରୂପବତୀ । ଲୀଳାବତୀ ପଶୁପକ୍ଷୀମାନଙ୍କର ଭାଷା ବୁଝିପାରେ ଏ କଥା କେହି ଜାଣନ୍ତି ନାହିଁ ।

 

ଦିନକର କଥା । ବିନୋଦ ଓ ଲୀଳାବତୀ ରାତିରେ ଶୋଇଛନ୍ତି । ଅଧରାତିବେଳକୁ ତାଙ୍କ ବାଡ଼ିପଟେ ଗୋଟିଏ ବିଲୁଆ ଜୋରରେ ଭୁକିଲା । ଲୀଳାବତୀର ନିଦ ଭାଙ୍ଗିଗଲା । ସେ ଶେଯରୁ ଉଠିବସିଲା । ପୁଣି ବିଲୁଆ ଭୁକିବା ଆରମ୍ଭ କଲା । ଲୀଳାବତୀ ତରବର ହୋଇ ବାହାରକୁ ବାହାରି ଆସିଲା । ଚାରିଆଡ଼କୁ ଟିକିଏ ଚାହିଁ ଦେଖିଲା କେହି କୁଆଡ଼େ ନାହାନ୍ତି । ସିଧା ଦୌଡ଼ିଲା ନଈକୂଳକୁ । ବିନୋଦ ସବୁ ଦେଖୁଥାଏ । ସେ ମଧ୍ୟ ଶେଯରୁ ଉଠି ଲୀଳାବତୀ ପଛେପଛେ ଚାଲିଲା । ତା’ ପଛରେ ତା’ର ସ୍ଵାମୀ ଆସୁଛି ବୋଲି ଲୀଳାବତୀ ଜାଣେ ନାହିଁ ।

 

ଲୀଳାବତୀ ଏକ ଲୟରେ ନଈକୂଳରେ ଠିଆ ହୋଇଛି । ତା’ର ଅଜାଣତରେ ବିନୋଦ ଯାଇ ନଈକୂଳରେ ଥିବା ଗଛ ଉହାଡ଼ରେ ଠିଆ ହୋଇରହିଲା । କିଛିସମୟ ପରେ ନଈସୂଅରେ ଗୋଟିଏ ଶବ ଭାସି ଭାସି ଆସିଲା । ଲୀଳାବତୀ ନଈଭିତରେ ପଶି ଶବଟାକୁ ଟାଣିଟାଣି କୂଳକୁ ଆଣିଲା । କୂଳରେ ଶବଟାକୁ ଥୋଇଦେଇ ମୁଣ୍ଡରୁ ଚଉଁରୀ କାଠି ବାହାର କରି ଶବ ଜଙ୍ଘକୁ ଚିରି ପକାଇଲା ଓ ମୁହଁ ଲଗାଇ ଶବ ଜଙ୍ଘରୁ ପାଞ୍ଚୋଟି ସୁନା ମୋହର ପାଇ ଅଣ୍ଟିତଳେ ରଖିଲା । ବିନୋଦ ଗଛ ଉହାଡ଼ରେ ଥାଇ ଲୀଳାବତୀର ଏସବୁ କାର୍ଯ୍ୟ ଦେଖି ଘରକୁ ଫେରିଆସି ଖଟରେ ଶୋଇ ପଡ଼ିଲା । ଲୀଳାବତୀ ଶବକୁ ନଈ ସୁଅରେ ଭସାଇ ଦେଇ ଘରକୁ ଫେରି ଆସି ଚୁପଚାପ୍ ଶୋଇ ପଡ଼ିଲା । ସେ ଭାବିଲା ବୋଧେ ଏକଥା କେହି ଜାଣନ୍ତି ନାହିଁ ।

Image

ସକାଳ ହେଲା । ଗତ ରାତିରେ ଘଟିଥିବା ସବୁକଥା ବାପାଙ୍କ ଆଗରେ ବିନୋଦ ଗୋଟି ଗୋଟି କରି କହିଲା । ବାପପୁଅ ଦିହେଁଯାକ ଧରିନେଲେ ଯେ ଲୀଳାବତୀ ନିଶ୍ଚୟ ଗୋଟିଏ ଡାହାଣୀ । ବୋହୂକୁ ତା’ ବାପଘରେ ଆଜି ସନ୍ଧ୍ୟା ସୁଦ୍ଧା ଛାଡ଼ିଦେଇ ଆସିବା ପାଇଁ ବିନୋଦ ବାପାଙ୍କୁ କହିଲା । ମହାଜନ ପୁଅ କଥାରେ ରାଜି ହୋଇ ବୋହୂ ଲୀଳାବତୀକୁ ସାଥୀରେ ନେଇ ବାହାରିଲେ ତା’ ବାପଘରେ ଛାଡ଼ିଦେଇ ଆସିବା ପାଇଁ । ଶଶୁର ବୋହୂ ଦୁହେଁଯାକ ବାଟ ଚାଲି ଚାଲି ବଡ଼ ହାଲିଆ ହୋଇପଡ଼ିଲେ ଓ ରାସ୍ତା କଡ଼ରେ ଥିବା ବରଗଛ ମୂଳରେ ବିଶ୍ରାମ କଲେ । ସେତେବେଳକୁ ଦିନ ଦି’ପହର । ନିଛାଟିଆ ସମୟ । ରାସ୍ତାଘାଟ ଶୁନ ଶାନ । ସେଇ ବରଗଛ ଉପରେ ଗୋଟିଏ କାଉ ବସିଥିଲା । ସେ କାଉ ଯେମିତି ଲୀଳାବତୀକୁ ଦେଖି ଦେଇଛି ଜୋରରେ କା–କା–କା–କରି ରାବିବାକୁ ଲାଗିଲା ।

 

ଲୀଳାବତୀ କହିଲା–ଆରେ ବୋକା କାଉ ! ତୁ ପୁଣି କାହିଁକି ମୋତେ ଧନ ପାଇବା କଥା ମୋତେ କହୁଛୁ ? ଏହାଦ୍ଵାରା ଯେ ମୋ ଭାଗ୍ୟରେ ଆଉ କ’ଣ ଘଟିବ ମୁଁ ଜାଣେନି । ତୁ ତୁନି ହଅ । ମହାଜନ ବୋହୂ କଥା କିଛି ବୁଝି ନପାରି ତାକୁ ପଚାରିଲେ–ଆଲୋ ମା’ ! ତୁ କାହାକୁ କ’ଣ କହୁଛୁ ? ମୁଁ ତ ତୋ କଥା କିଛି ବୁଝିପାରୁ ନାହିଁ । ଲୀଳାବତୀ କହିଲା–ବାପା ମୁଁ ପଶୁପକ୍ଷୀମାନଙ୍କର କଥାଭାଷା ବୁଝିପାରେ । ଏଇ ଗଛ ଉପରେ ଗୋଟିଏ କାଉ ବସି ମୋତେ କହୁଛି, ଏଇ ଗଛ ମୂଳରେ ଲକ୍ଷେ ଟଙ୍କାର ଧନ ସମ୍ପତ୍ତି ଠୁଳ ହୋଇ ରହିଛି । ସେଇ ଧନକୁ ଗୋଟିଏ ନାଗସାପ ଜଗି କରି ଅଛି । ଯଦି କୌଣସି ଲୋକ ଗରମ ତେଲ ଆଣି ଗଛତଳେ ଥିବା ଗାତରେ ଢାଳିଦେବ ତେବେ ସେ ନାଗସାପଟି ମରିଯିବ ଓ ସେ ଲୋକ ଲକ୍ଷେ ଟଙ୍କାର ଧନ ସହଜରେ ପାଇ ପାରିବ । ମହାଜନ କହିଲେ–ତୁ ସତ କଥା କହୁଛୁ ବୋଲି ମୁଁ କେମିତି ଜାଣିବି ? ଲୀଳାବତୀ କହିଲା–ତେବେ ଚାଲନ୍ତୁ ଏଇ ପାଖ ଗାଁକୁ ଯାଇ ଗରମ ତେଲ ଆଣି ପରୀକ୍ଷା କରି ଦେଖିବା, ମହାଜନ ବୋହୂ କଥାରେ ରାଜି ହେଲେ । ଦୁହେଁ ଯାକ ପାଖରେ ଥିବା ଗାଁକୁ ଯାଇ ଗରମ ତେଲ ଆଣି ଆସି ଗଛମୂଳରେ ଥିବା ଗାତ ଭିତରେ ଢାଳିଦେଲେ । ସତକୁ ସତ ସେଇ ଗାତ ଭିତରୁ ଗୋଟିଏ ନାଗସାପ ବାହାରି ଆସି ଛଟପଟ ହୋଇ ମରିଗଲା । ଶଶୁର ବୋହୂ ଦୁହେଁ ମିଶି ଗାତକୁ ଖୋଳି ଖୋଳି ସୁନ୍ଦର ପେଡ଼ିଟିଏ ପାଇଲେ । ଦେଖିଲାବେଳକୁ ସେଇ ପେଡ଼ିରେ ବହୁ ସୁନା ଅଳଙ୍କାର ଭରି ହୋଇ ରହିଛି ଯାହାର ମୂଲ୍ୟକି ଲକ୍ଷେ ଟଙ୍କା ହେବ । ଧନ ପାଇ ମହାଜନ ବଡ଼ଖୁସି ହୋଇ ବୋହୂକୁ କହିଲେ–ତୋ କଥା ଏବେ ସତ ହେଲା । ହେଲେ ମା’ ! ତୁ ଗତ ରାତିରେ ଏକା ନଈକୂଳକୁ ଯାଇ ନଈରେ ଭାସି ଆସୁଥିବା ଶବକୁ କାହିଁକି ମୁଣ୍ଡକଣ୍ଟାରେ ଚିରି ପକାଉଥିଲୁ ଓ ମୁହଁ ଲଗାଇ ତାକୁ ଖାଉଥିଲୁ କହିଲୁ ।

 

ଲୀଳାବତୀ କହିଲା–ବାପା । ଅଧରାତିରେ ଗୋଟିଏ ବିଲୁଆ ଆମବାଡ଼ିପଟେ ତୁହାଇ ତୁହାଇ ଭୁକିବାରୁ ମୁଁ ନଈକୂଳକୁ ଯାଇଥିଲି । ସେ ବିଲୁଆ ତା’ ଭାଷାରେ କହୁଥିଲା–“ନଈରେ ଗୋଟିଏ ଶବ ଭାସି ଭାସି ଆସୁଛି ଓ ତା’ ଜଙ୍ଘରେ ପାଞ୍ଚୋଟି ସୁନା ମୋହର ଅଛି” ଏକଥା ଜାଣିପାରି ମୁଁ ନଈକୂଳକୁ ଯାଇଥିଲି । ଘରୁ ଛୁରୀ ବା କଟୁରି ନେବାକୁ ଭୁଲି ଯାଇଥିବାରୁ ନିଜ ମୁଣ୍ଡରୁ ଚଉଁରୀ କାଠି କାଢ଼ି ଶବର ଜଙ୍ଘକୁ ଚିରି ପକାଇ ମୁହଁ ଲଗାଇ ପାଞ୍ଚୋଟି ଯାକ ସୁନା ମୋହର ଉଦ୍ଧାର କଲି । ଏଇ ଦେଖନ୍ତୁ ସେଇ ସୁନା ମୋହର । ଏହା କହି ସେ ଅଣ୍ଟିତଳୁ ପାଞ୍ଚୋଟି ଯାକ ସୁନାମୋହର ବାହାର କରି ଶଶୁର ବୁଢ଼ା ହାତରେ ଦେଲା ।

 

ମହାଜନ ରଘୁସାହୁଙ୍କର ବୋହୂ ଉପରେ ଯେଉଁ ସନ୍ଦେହ ଥିଲା ତାହା ଦୂର ହୋଇଗଲା-। ସେ ବୋହୂକୁ କହିଲେ–ମା’ ! ବିନୋଦ କଥାରେ ପଡ଼ି ମୁଁ ତତେ ଯାହା ଭାବୁଥିଲି ପ୍ରକୃତରେ ତୁ ସେଇଆ ନୁହେଁ । ତୁ ହେଉଛୁ ମୋର ସୁନାବୋହୂ ॥

Image

 

॥ ଅମୃତଭଣ୍ଡା କଥା ॥

 

ଆଜକୁ ପ୍ରାୟ ଅନେକ ଦିନ ତଳର କଥା । ନାଟିମା ଗାଁରେ ବୁଢ଼ା ବୁଢ଼ୀ ଦୁଇଟି ବାସ କରୁଥିଲେ । ସେମାନଙ୍କର ପିଲା ଛୁଆ କିଛି ନ ଥିଲା । ଏଣୁ ସେମାନଙ୍କ ମନରେ ଭାରି ଦୁଃଖ । ବୁଢ଼ାଟି ଜଣେ ଭଲ ଚାଷୀ ଓ ପରିଶ୍ରମୀ ଲୋକ । ସବୁଦିନ ସକାଳୁ ଉଠି ସେ ବିଲ କାମକୁ ଯାଏ ଓ ସଞ୍ଜ ବେଳକୁ ଘରକୁ ଫେରେ । ବୁଢ଼ୀ ସବୁଦିନ ସକାଳୁ ଉଠି ଘର କାମ ସାରି ବାଡ଼ି ବଗିଚା ଦେଖାଶୁଣା କରେ ଓ ଦି’ପହର ବେଳକୁ ବୁଢ଼ା ପାଇଁ ଭାତ ଧରି ବିଲକୁ ଯାଏ । ଏଇ ଭଳି ଭାବରେ ସେମାନଙ୍କର ଦିନ ବିତିଯାଏ ।

Image

ଦିନକର ଘଟଣା । ବୁଢ଼ା ବିଲକୁ ଗଲାପରେ ବୁଢ଼ୀ ଘର ଧନ୍ଦା ସାରି ବଗିଚାରେ ବୁଲୁଛି, ଏଇ ସମୟରେ ଗଛରୁ ଗୋଟିଏ ପାଚିଲା ଅମୃତଭଣ୍ଡା ଦୁଲକିନା ତଳେ ପଡ଼ିଗଲା । ବୁଢ଼ୀ ଅମୃତଭଣ୍ଡାଟିକୁ ଅଣ୍ଟିରେ ପୁରାଇ ଘରକୁ ଆଣି ଗୋଟିଏ ଚୌକି ଉପରେ ଥୋଇ ଦେଇ ରୋଷେଇ ଆରମ୍ଭ କଲା । ରୋଷେଇ ସାରି ଭାତ କଂସାକୁ ଗୋଟିଏ ଗାମୁଛାରେ ବାନ୍ଧି ବୁଢ଼ୀ ମନକୁ ମନ କହିଲା–“ହେ ଭଗବାନ ! ମୋର ଯଦି ପୁଅଟିଏ ଥାଆନ୍ତା ସେ ତା’ ବାପା ପାଇଁ ଭାତ ଧରି ସବୁଦିନ ବିଲକୁ ଯାଉ ଥାଆନ୍ତା, ଆଉ ଏଇ ବୁଢ଼ୀ ବୟସରେ ମୋତେ ଖରା, ବର୍ଷା, ଶୀତ କାକର ସହି ବିଲକୁ ଯିବା ପାଇଁ ପଡ଼ୁ ନ ଥାନ୍ତା ।” ଏଇ କଥା କହିବା ବେଳେ ବୁଢ଼ୀ ଆଖିରୁ ଧାର ଧାର ହୋଇ ଲୁହ ବୋହି ପଡ଼ିଲା । ଠିକ୍ ଏତିକିବେଳେ କିଏ ଚୁପ୍ ଚୁପ୍ କରି କହିଲା । ମା’ ! ମା’ ! ତୁ ଆଉ ବ୍ୟସ୍ତ ହୋନା ମୁଁ ଆଜି ଠାରୁ ବାପା ପାଇଁ ଭାତ ନେଇ ବିଲକୁ ଯିବି । ବୁଢ଼ୀ ଚାରିଆଡ଼କୁ ଚାହିଁଲା କିନ୍ତୁ କାହାରିକୁ ପାଇଲା ନାହିଁ । ପୁଣି ଥରେ ସେଇ କଥା ବୁଢ଼ୀ କାନରେ ବାଜିଲା–ମା’ ! ମା’ ! ଏଇ ଦେଖେ ମୁଁ ଚୌକି ଉପରେ ବସିଛି । ଆସ୍ତେ ଆସ୍ତେ ଅମୃତଭଣ୍ଡା ଚୌକି ଉପରୁ ଓହ୍ଲାଇ ଆସିଲା । ବୁଢ଼ୀର ଆନନ୍ଦ କହିଲେ ନସରେ । ସେ ଭାତ କଂସାକୁ ଭଣ୍ଡା ଉପରେ ଲଦି ଦେଲା । ଭଣ୍ଡା ଠୁକୁରୁ ଠୁକୁ ହୋଇ ଚାଲିଲା ବିଲକୁ ।

 

ତେଣେ ଭାତ ଆସିବାକୁ ଡେରି ହେବାରୁ ବୁଢ଼ା ଭୋକରେ ବ୍ୟସ୍ତ ହୋଇ ବିଲ ମୁଣ୍ଡ ଗଛ ତଳେ ବସି ଖାଲି ଆଗକୁ ପଛକୁ ଚାହୁଁଛି । ଦୂରରୁ ଭଣ୍ଡା ଡାକ ଛାଡ଼ିଲା–ଏ ବାପା ! ବାପା କିଲୋ ! ମୁଁ ତୋ ପାଇଁ ଭାତ ନେଇ ଯାଉଛି ତୁ ବ୍ୟସ୍ତ ହୋନି । ବୁଢ଼ା ଚାରିଆଡ଼କୁ ମୁହଁ ବୁଲାଇ ଚାହିଁଲା କିଏ କାହାକୁ କହୁଛି ବୋଲି କିନ୍ତୁ କାହାକୁ ନଦେଖି ପାରି ମୁଣ୍ଡରେ ହାତ ଦେଇ ବସି ରହିଲା । କିଛି ସମୟ ପରେ ଅମୃତଭଣ୍ଡା ବୁଢ଼ା ପାଖରେ ପହଞ୍ଚି ଭାତ କଂସାକୁ ଥୋଇ ଦେଇ କହିଲା–ବାପା ମୁ ତୋ ପାଇଁ ଭାତ ଆଣିଛି ବେଗି ଖାଇଦେ । ବୁଢ଼ା ଦେଖିଲା ଠିକ୍ ସବୁ ତାରି ଘରର କଂସା ବାସନ । ସେ ଭଣ୍ଡାକୁ କିଛି ନକହି ଏକା ନିଶ୍ଵାସରେ ଭାତ ଖାଇବାକୁ ଲାଗିଲା । ସେ ଖାଉଥାଏ ଭଣ୍ଡା ତାକୁ ବିଞ୍ଚୁଥାଏ । ସେ ଖାଇ ସାରି ଭଣ୍ଡାକୁ କହିଲା–ତୁ ଏଇଠି ବସିଥା ମୁଁ ଯାଉଛି ବଳଦ ଗୁଡ଼ାକୁ ନଈରେ ପାଣି ପିଆଇ ଆଣିବି, ଆସିଲେ କଥାବାର୍ତ୍ତା ହେବା । ଭଣ୍ଡା କହିଲା ବାପା ତୁ ବୁଢ଼ାଲୋକ ତୁ ଟିକିଏ ଆରାମ କର, ମୁଁ ଯାଉଛି ବଳଦ ଗୁଡ଼ାକୁନେଇ ନଈରେ ପାଣି ପିଆଇ ଆଣିବି । ଭଣ୍ଡା କଥାରେ ବୁଢ଼ା ରାଜି ହୋଇଗଲା । ଭଣ୍ଡା ବଳଦ ଧରି ନଈକୁ ଗଲା ।

Image

ପାଣି ପିଉଥିବାବେଳେ ବଳଦ ଦୁଇଟି ନଈ ସୁଅରେ ଭାସିଗଲେ । କ’ଣ କରିବ । ଭଣ୍ଡା ବିଚରା ବଡ଼ ଅସୁବିଧାରେ ପଡ଼ିଲା । କିଛି ଉପାୟ ନପାଇ ସେ ନଈକୁ ଡେଇଁ ପଡ଼ିଲା । ସୁଅ ମୁହଁରେ ସେ ବି ଭାସିଗଲା । ଭାସି ଭାସି ଯାଇ ଭଣ୍ଡା କିଛି ଦୂରରେ ଗୋଟିଏ ଗଛ ମୂଳରେ ଲାଗିଲା । ସେଇ ଗଛ ମୂଳ ଗାତ ଭିତରେ ଗୋଟିଏ ମୂଷା ରହୁଥିଲା । ଭଣ୍ଡାକୁ ଦେଖି ମୂଷା କହିଲା–ଭଣ୍ଡା ଭାଇ । ବଳଦ ଯୋଗୁ ତୁମେ ବହୁତ ଦୁଃଖ ପାଇଲଣି ନା ? କିନ୍ତୁ ତୁମେ ଆଉ ବଳଦ ପାଇବ ନହିଁ । ରାଜାଘର ଲୋକମାନେ ତୁମ ବଳଦକୁ ନେଇ ଯାଇଛନ୍ତି । ତୁମେ କିଏ ନା ରାଜାଘର କିଏ ? ଭଣ୍ଡା କହିଲା–ବିନା କାରଣରେ ରାଜାଘର ଲୋକମାନେ ମୋ ବଳଦ ନେଇଯିବେ ମୁଁ ସହିବି, ନା ନା ମୁଁ ଯାଉଛି ରାଜାଙ୍କୁ ଦେଖାକରି ମୋ ବଳଦ ଫେରାଇ ଆଣିବି । ହେଲେ ମୂଷା ଭାଇ ମୁଁ ଏତେ ବାଟ ରାଜା ଘରକୁ କେମିତି ଯିବି ? ମୂଷା କହିଲା ତୁମେ ଏଥିପାଇଁ ଚିନ୍ତା କରନାହିଁ ମୋ ପାଖରେ ପଦ୍ମ ଫୁଲରେ ତିଆରି ହୋଇ ଗୋଟିଏ ଗାଡ଼ି ଅଛି । ତୁମେ ସେଇ ଗାଡ଼ିରେ ବସିବ ଆଉ ମୂଷାମାନେ ଟାଣି ଟାଣି ନେଇ ତୁମକୁ ରାଜାଘରେ ପହଞ୍ଚାଇ ଦେବେ । ମୂଷା କଥାରେ ଭଣ୍ଡା ରାଜି ହେଲା । ମୂଷା ଗାଡ଼ି ଓ ଗାଡ଼ି ଟାଣିବା ପାଇଁ ଦଳେ ମୂଷାଦେଲା । ଭଣ୍ଡା ସେଇ ଗାଡ଼ିରେ ବସିଲା ।

 

ଯାଉଁ ଯାଉଁ ବାଟରେ ଭଣ୍ଡା ସହିତ ବିଲେଇର ଭେଟ ହେଲା । ବିଲେଇ ଭଣ୍ଡାକୁ ଜୁହାରଟିଏ ହୋଇ ପଚାରିଲା–ହୋ ଭଣ୍ଡା ଭାଇ ! କୁଆଡ଼େ ଯାଉଛ ? ଭଣ୍ଡା ଗୀତ ବୋଲି ବୋଲି କହିଲା–

 

“ପଦ୍ମଫୁଲରେ ତିଆରି ଏହି ଗାଡ଼ି ମୋର

ମୂଷା ଭାଇମାନେ ଟାଣନ୍ତି ହୋଇ ବଡ଼ ଅଧୀର

ବହୁତ ଦୁଃଖ ମୁଁ ପାଇଣ ଯାଏ ରାଜା ପାଖକୁ

ବଳଦ ଉଦ୍ଧାର କରିଣ ଯିବି ନିଜ ଘରକୁ”

 

ବିଲେଇ କହିଲା ମୋତେ ଟିକିଏ ସାଙ୍ଗରେ ରାଜା ଘରକୁ ନେବ । ଭଣ୍ଡା କହିଲା–ଠିକ୍ ଅଛି ଆ ମୋ ମୁଣ୍ଡ ଉପରେ ବସ୍ । ବିଲେଇ ଯେମିତି ଭଣ୍ଡା ମୁଣ୍ଡରେ ବସିଛି ସଙ୍ଗେ ସଙ୍ଗେ ତା’ ପେଟ ଭିତରକୁ ଗଳି ପଡ଼ିଲା ।

 

ଭଣ୍ଡା ବିଲେଇକୁ ନେଇ ଯାଉଛି । ବାଟରେ ଗୋଟିଏ ଗଧିଆ ସହ ପୁଣି ତା’ର ଭେଟ ହେଲା । ଗଧିଆ ଭଣ୍ଡାକୁ ପ୍ରଣାମ ହୋଇ କହିଲା–ହୋ ଭଣ୍ଡା ଭାଇ କୁଆଡ଼େ ବାହାରିଛ କି ? ଭଣ୍ଡା ଗୀତ ବୋଲି ବୋଲି କହିଲା–

 

“ପଦ୍ମଫୁଲରେ ତିଆରି ଏହି ଗାଡ଼ି ମୋର

ମୂଷା ଭାଇମାନେ ଟାଣନ୍ତି ହୋଇ ବଡ଼ ଅଧୀର

ବହୁତ ଦୁଃଖ ମୁଁ ପାଇଣ ଯାଏ ରାଜା ପାଖକୁ

ବଳଦ ଉଦ୍ଧାର କରିଣ ଯିବି ନିଜ ଘରକୁ”

ଗଧିଆ କହିଲା ତାହାହେଲେ ମୁଁ ଟିକିଏ ତମ ସାଙ୍ଗରେ ରାଜା ଘରକୁ ଯାଆନ୍ତି । ଭଣ୍ଡା କହିଲା ଠିକ୍ ଅଛି ଆସ ମୋ ମୁଣ୍ଡ ଉପରେ ବସ । ଗଧିଆ ଭଣ୍ଡା ମୁଣ୍ଡରେ ବସୁ ବସୁ ତା’ ପେଟ ଭିତରକୁ ଗଳି ପଡ଼ିଲା । ବିଲେଇ ଓ ଗଧିଆକୁ ସାଙ୍ଗରେ ଧରି ଭଣ୍ଡା ଯାଉଛି ପୁଣି ବାଟରେ ତା’ ସହିତ ନିଆଁ ଭେଟ ହେଲା । ନିଆଁ କହିଲା–ଦଣ୍ଡବତ ଭଣ୍ଡା ଭାଇ ! କୁଆଡ଼େ ବାହାରିଲ କି ? ଭଣ୍ଡା ଗୀତ ବୋଲି ବୋଲି ଉତ୍ତର ଦେଲା–

“ପଦ୍ମଫୁଲରେ ତିଆରି ଏହି ଗାଡ଼ି ମୋର

ମୂଷା ଭାଇମାନେ ଟାଣନ୍ତି ହୋଇ ବଡ଼ ଅଧୀର

ବହୁତ ଦୁଃଖ ମୁଁ ପାଇଣ ଯାଏ ରାଜା ପାଖକୁ

ବଳଦ ଉଦ୍ଧାର କରିଣ ଯିବି ନିଜ ଘରକୁ”

ନିଆଁ କହିଲା ତୁମେ ଯେବେ ରାଜା ଘରକୁ ଯାଉଛ ମୋତେ ଟିକିଏ ସାଙ୍ଗରେ ନିଅ । ଦରକାର ହେଲେ ମୁଁ ତୁମର ବହୁତ ଉପକାର କରିବି । ଭଣ୍ଡା କହିଲା ହଉ ତେବେ ଆ ମୋ ମୁଣ୍ଡ ଉପରେ ବସ । ନିଆଁ ଭଣ୍ଡା ମୁଣ୍ଡରେ ବସୁ ବସୁ ତା’ ପେଟ ଭିତରକୁ ଗଳି ପଡ଼ିଲା କିଛି ସମୟ ପରେ ଭଣ୍ଡା ରାଜାଙ୍କ ଉଆସ ପାଖରେ ପହଞ୍ଚିଲା । ଗାଡ଼ି ଓ ମୂଷାମାନଙ୍କୁ ଗୋଟିଏ ଗଛ ମୂଳରେ ରଖିଦେଇ ଯାଇ ପହଞ୍ଚିଲା ରାଜ ଦରବାରରେ । ରାଜା ପାତ୍ର ମନ୍ତ୍ରୀଙ୍କ ଗହଣରେ ବସିଛନ୍ତି । ରାଜାଙ୍କୁ ପ୍ରଣାମଟିଏ କରି ଭଣ୍ଡା କହିଲା–ହଜୁର ! ଆପଣଙ୍କ ଲୋକମାନେ ମୋ ବଳଦ ଦୁଇଟାକୁ ଧରି ଆଣିଛନ୍ତି, ଦୟାକରି ମୋତେ ଶୀଘ୍ର ମୋ ବଳଦ ଫେରାଇ ଦିଅନ୍ତୁ । ରାଜା ଭଣ୍ଡା କଥା ଶୁଣି ହସରେ ଉଡ଼ାଇ ଦେଲେ । ଭଣ୍ଡା କିନ୍ତୁ ବଳଦ ଫେରାଇ ଦେବା ପାଇଁ ରାଜାଙ୍କୁ ବାରମ୍ବାର କହୁଥାଏ-। ରାଜା ବିରକ୍ତ ହୋଇ କଟୁଆଳକୁ ଡାକି କହିଲେ–ଏଇ ଭଣ୍ଡାଟାକୁ ନେଇ କୁକୁଡ଼ା ଭାଡ଼ିରେ ପକାଇ ଦିଅ । କୁକୁଡ଼ା ମାନେ ଆଜି ଏଇଟାକୁ ଆନନ୍ଦରେ ଖାଆନ୍ତୁ । ରାଜାଙ୍କ ଆଦେଶ ପାଇ କଟୁଆଳ ଭଣ୍ଡାକୁ ନେଇ କୁକୁଡ଼ା ଭାଡ଼ିରେ ପକାଇ ଦେଇ ଆସିଲେ । କୁକୁଡ଼ାମାନେ ଯେତେବେଳେ ଭଣ୍ଡାକୁ ଖାଇବା ପାଇଁ ଘେରିଗଲେ, ଭଣ୍ଡା କହିଲା–

“ଛୁ ମନ୍ତର ଛୁ–କାହିଁ ଅଛୁରେ ବିଲେଇ ଭାଇ

ଏଇ କୁକୁଡ଼ା ଗୁଡ଼ାକୁ ଦେ ଶୀଘ୍ର ଖାଇ ।”

ବିଲେଇ ବାହାରି ଆସି ଖୁସିରେ କୁକୁଡ଼ାମାନଙ୍କୁ ଖାଇଦେଇ ଭାଡ଼ି ସଫା କରିଦେଲା । ପରଦିନ ସକାଳୁ ପୁଣି ଭଣ୍ଡା ଯାଇ ରାଜାଙ୍କ ପାଖରେ ହାଜର ହୋଇ ବଳଦ ଫେରାଇ ଦେବା ପାଇଁ କହିଲା । ରାଜା ବିରକ୍ତ ହୋଇ କଟୁଆଳକୁ କହିଲେ–ଆରେ ! ଏଇଟାକୁ ନେଇ ଛେଳି ଗୁହାଳରେ ପକାଇ ଦିଅ । ଛେଳିମାନେ ଏଟାକୁ ଖୁସିରେ ଖାଆନ୍ତୁ । କଟୁଆଳ ଭଣ୍ଡାକୁ ନେଇ ଛେଳି ଗୁହାଳରେ ପକାଇ ଦେଇ ଆସିଲା । ଛେଳିମାନେ ଯେତେବେଳେ ଭଣ୍ଡାକୁ ଖାଇଯିବା ପାଇଁ ଘେରିଗଲେ ଭଣ୍ଡା କହିଲା–

“ଛୁ ମନ୍ତର ଛୁ କାହିଁ ଅଛୁରେ ଗଧିଆ ଭାଇ

ଦେ ଏ ଛେଳି ଗୁଡ଼ାକୁ ଗୋଟି ଗୋଟି କରି ଖାଇ ।”

 

ଗଧିଆ ସଙ୍ଗେ ସଙ୍ଗେ ବାହାରି ଆସି ଆରାମରେ ଛେଳିମାନଙ୍କୁ ଖାଇଦେଇ ଗୁହାଳ ସଫା କରିଦେଲା । ପରଦିନ ସକାଳୁ ଭଣ୍ଡା ଯାଇ ପୁଣି ରାଜାଙ୍କ ପାଖରେ ହାଜର ହୋଇ ତା’ ବଳଦ ଫେରାଇ ଦେବାକୁ କହିଲା । ରାଜା ଆଶ୍ଚର୍ଯ୍ୟ ହୋଇ କହିଲେ ଆରେ ଏ ତ ମରି ନାହିଁ ? କିଏ ଅଛ । ଏଇଟାକୁ ଆମ ଭଣ୍ଡାର ଘରେ ପୁରାଇ କବାଟ କିଳି ଦିଅ । ରାଜାଙ୍କ ଆଦେଶ ପାଇ କଟୁଆଳ ଭଣ୍ଡାକୁ ନେଇ ଭଣ୍ଡାର ଘର ଭିତରେ ପୁରାଇ କବାଟ କିଳି ଦେଲା । ଭଣ୍ଡାର ଘର ଭିତରେ ଥାଇ କହିଲା–

 

“ଛୁ ମନ୍ତର ଛୁ କାହିଁ ଅଛୁରେ ମୋ ନିଆଁ ଭାଇ

ଶୀଘ୍ର ଦେ ରାଜା ଉଆସରେ ନିଆଁ ଲଗାଇ ।”

 

ନିଆଁ ବାହାରି ଆସିଲା । ଧୁ ଧୁ ଧୂଆଁ ଚରିଆଡ଼େ ଖେଳିଗଲା, ହୁ ହୁ ହୋଇ ନିଆଁ ଜଳିବାକୁ ଲାଗିଲା । ଉଆସରେ ଜୋରରେ ନିଆଁ ଲାଗିଗଲା ବୋଲି ଚାକର ବାକର ମାନେ ଯାଇ ରାଜାଙ୍କୁ କହିଲେ । ରାଜା ଭଣ୍ଡାର ଘର ଖୋଲି ଦେଖିଲା ବେଳକୁ ଭଣ୍ଡା ଆରାମରେ ଠିଆ ହୋଇଛି ଓ ଘର ଭିତର ଯାକ ନିଆଁ ଜଳୁଛି । ରାଜା ଭଣ୍ଡାକୁ ହାତ ଯୋଡ଼ି କହିଲେ–ଆରେ ଭଣ୍ଡା । ଶୀଘ୍ର ନିଆଁ ଲିଭେଇ ଦେ ନ ହେଲେ ମୋର ସାରା ଉଆସ ପୋଡ଼ି ପାଉଁଶ ହୋଇ ଯିବ । ଭଣ୍ଡା କହିଲା–ଏଥର କୁହନ୍ତୁ, ମୋ ବଳଦ ଫେରାଇ ଦେବେ କି ନାହିଁ । ରାଜା କହିଲେ–ତୁ ବଳଦ ସହ ଆଉ ଯାହା ଇଚ୍ଛା ତାହା ନେ ପଛେ ଶୀଘ୍ର ନିଆଁକୁ ବନ୍ଦ କର । ତୁ ସାମାନ୍ୟ ଗଛର ଫଳ ହେଲେ ମଧ୍ୟ ତୋ ପାଖରେ ବହୁତ କରାମତି ଅଛି, ମୋ ଦୋଷ କ୍ଷମା କର ।

 

ରାଜା ବଳଦ ଫେରାଇ ଦେବାକୁ ରାଜି ହେବାରୁ ନିଆଁ ଲିଭିଗଲା ଓ ଭଣ୍ଡା ଢୋ’ କରି ଫାଟିଗଲା । ଦେଖିଲା ବେଳକୁ ଗୋଟିଏ ସୁନ୍ଦର ରାଜକୁମାର ଠିଆ ହୋଇଛି । ରାଜା ଭାରି ଖୁସି ହୋଇ ତାଙ୍କ ଝିଅକୁ ସେଇ ରାଜକୁମାର ସହ ବାହା କରି ଦେଲେ । ଭଣ୍ଡା ରାଜା ଝିଅକୁ ବାହା ହୋଇ ରାଜ୍ୟ ଚଳାଇଲା ଓ ନାଟିମା ଗାଁକୁ ଲୋକ ପଠାଇ ବୁଢ଼ା ବୁଢ଼ୀକୁ ଆଣି ଉଆସରେ ରଖିଲା-

Image

 

॥ ଚୋରିଧନ ଚୋର ନେଲା ॥

 

ବହୁଦିନ ତଳର କଥା । ନୂଆପଡ଼ା ଗାଁରେ ମଦନର ଘର । ମଦନ ଜଣେ ପରିଶ୍ରମୀ, ସରଳ, ଭଦ୍ରଯୁବକ । ଦିନେ ସେ ଶଶୁର ଘରୁ ନିମନ୍ତ୍ରଣ ପାଇଲା ଜୋଇଁ କୁଣିଆ ହୋଇ ଯିବାପାଇଁ-। ଆଗରୁ ସ୍ତ୍ରୀ ମାଳତୀକୁ ଶଶୁର ଘରକୁ ପଠାଇ ଦେଇ ଜୋଇଁ କୁଣିଆ ହେବାଦିନ ସେ ଶଶୁର ଘରେ ଯାଇ ପହଞ୍ଚିଗଲା । ଭିଣୋଇ ପ୍ରଥମ ଥର ପାଇଁ ଆସିଛନ୍ତି ଶଳାଶାଳୀମାନେ ମଦନ ସହ ଥଟ୍ଟା ପରିହାସରେ ମାତିଲେ । ଶାଶୁ ବହୁ ପ୍ରକାର ଖାଦ୍ୟ ତିଆରି କରି ଅତି ଆଦରରେ ଜ୍ଵାଇଁଙ୍କୁ ଖାଇବାକୁ ଦେଲେ । କିନ୍ତୁ ମଦନ ଲାଜରେ କିଛି ଖାଇଲା ନାହିଁ ।

 

ରାତିହେଲା । ଶଶୁର ଓ ଶଳାଙ୍କ ସହ ମଦନକୁ ଖାଇବାକୁ ଦିଆଗଲା । ମାତ୍ର ମଦନ ଲାଜରେ କିଛି ଖାଇଲା ନାହିଁ । ଅନ୍ୟମାନେ ଖୁସିରେ ଖାଇବାକୁ ଲାଗିଲେ । ଖାଇବା ଶେଷ ବେଳକୁ ମଦନର ଶାଳୀ କ୍ଷୀରୀ ଧରି ଆସିଲା ପରସିବା ପାଇଁ । ବାପା ଓ ଭାଇଙ୍କ ଥାଳିରେ ଦେଇସାରି ସେ ଯେତେବେଳେ ଭିଣୋଇଙ୍କ ପାଖରେ ପହଞ୍ଚିଲା ମଦନ ଥାଳିରେ ହାତଘୋଡ଼ାଇ ମନାକରି ଦେଲା । ମିନତୀ ଥଟ୍ଟାରେ ଡଙ୍କାଏ ହେବ କ୍ଷିରୀ ଭିଣୋଇ ହାତ ଉପରେ ଢାଳିଦେଇ ଚାଲିଗଲା ! ହାତକୁ ଚାଟି ଚାଟି ସଫାକରିବା ପାଇଁ ମଦନ ବାଧ୍ୟ ହେଲା । କ୍ଷିରୀ ତାକୁ ଖୁବ୍ ଭଲ ଲାଗିଲା । କ’ଣ କରିବ ମନା ତ କରିଦେଇ ସରିଛି । ଖାଇବା ଜାଗାରୁ ସମସ୍ତେ ଏକ ସଙ୍ଗରେ ଉଠି ହାତ ଧୋଇଲେ । ମଦନ ଶୋଇବା ଘରକୁ ଗଲା । ହେଲେ ତାକୁ ନିଦ ଆସୁନାହିଁ । ଦିନସାରା ଉପାସ । ପେଟ କଁ କଁ ଡାକୁଛି । ପେଟ ଭିତରେ ଦଶିପୋକ ମରିଗଲାଣି । କ’ଣ କରିବ । ରାତି ବେଶି ହେଲା । ତା’ ମୁଣ୍ଡରେ ଗୋଟିଏ ଉପାୟ ଢୁକିଲା । ମାଳତୀ ଶୋଇଥିବା ଘରେ ଚୁପ୍‌ଚାପ୍ ଯାଇ ପଶିଲା । ମାଳତୀକୁ ଘମାଘୋଟ ନିଦ ତାକୁ ନିଦାରୁ ଉଠାଇ ସେ ପଚାରିଲା ମିନତୀ ଯେଉଁ କ୍ଷୀରୀ ଦେଉଥିଲା ସେହି ହାଣ୍ଡିଟା କେଉଁଠି ଅଛି ? ନିଦବାଉଳାରେ ମାଳତୀ କ୍ଷୀରୀ ଥିବା ଘରକୁ ହାତଠାରି ଦେଖାଇ ଦେଲା ।

Image

ମଦନ ଡେରି ନକରି ସେଇ ଘର ଭିତରକୁ ପଶିଲା । ଦେଖିଲା କ୍ଷୀରୀ ହାଣ୍ଡି ଶିକାରେ ଝୁଲୁଛି । ହାତ ବଢ଼ାଇଲା । ହାତ ପାଇଲା ନାହିଁ । ସେ ବଡ଼ ଅଡ଼ୁଆରେ ପଡ଼ିଲା । ଘର ଭିତର ଯାକ ଖୋଜିଲା କେଉଁଠି କିଛି ଉଚ୍ଚା ଜିନିଷ ଥିବ, ତାକୁ ଆଣି ତା’ଉପରେ ଠିଆ ହୋଇ କ୍ଷିରୀ ବାହାର କରି ଖାଇବ । ନିରାଶ ହେଲା । ନଜର ପଡ଼ିଲା ଘର କଣରେ ଡେରା ହୋଇଥିବା ଗୋଟିଏ ଠେଙ୍ଗା ଉପରେ । ତାକୁ ଆଣି ତଳେ ଠିଆ ହୋଇ ଠୁକ ଠୁକ କରି କ୍ଷୀରୀ ହାଣ୍ଡି ତଳେ ଛୋଟିଆ କଣାଟିଏ କଲା । କ୍ଷୀରୀ ଥପ୍ ଥପ୍ ହୋଇ ବୋହିଲା ଶିକାତଳେ । ଠିଆ ହୋଇ ସେ ଆଁ କରି ପେଟେ କ୍ଷୀରୀ ଖାଇଲା । ଭୋକ ତା’ର ପୁରା ପୁରି ମରିଗଲା । କ୍ଷୀରୀ ହାଣ୍ଡି କଣା ବନ୍ଦ କରିବ କେମିତି । ମନରେ ତା’ର ଭାଳେଣି ପଡ଼ିଲା । ଉପାୟ ନପାଇ ହାଣ୍ଡି ତଳେ କ୍ଷୀରୀ ଶେଷ ହେବା ଯାଏ ମୁଣ୍ଡ ଦେଖାଇ ଠିଆ ହୋଇ ରହିଲା । ହାଣ୍ଡିରେ ଥିବା କ୍ଷୀରୀ ତା’ ମୁଣ୍ଡରେ ପଡ଼ି ଦେହସାରା ହୋଇଗଲା । ଦେହକୁ କେମିତି ସଫା କରିବ । ରାତିରେ କୁଆଡ଼େ ଯିବ । ଲୁଗା ଗାମୁଛା କିଛି ନାହିଁ । ନଜର ପଡ଼ିଲା ଭାଡ଼ି ଉପରେ ଥିବା ତୁଳା ବସ୍ତା ଉପରେ । ପୁଳା ପୁଳା ତୁଳା ଆଣି ଦେହଯାକ ଘସିଲା ଦେହ ସଫା କରିବା ପାଇଁ କିନ୍ତୁ କ୍ଷୀରୀ ଅଠାରେ ତୁଳା ଗୁଡ଼ିକ ତା’ ଦେହରେ ଲାଖି ରହିଲା । ତା’ର ରୂପ ବେରୂପ ହୋଇଗଲା । ଚୁପ୍‌ଚାପ୍ ଘର ଭିତରୁ ବାହାରକୁ ଚାଲିଆସି ଶଶୁର ଘର ବାଡ଼ିପଟେ ଥିବା ମେଣ୍ଢା ଗୁହାଳରେ ଲୁଚିକରି ବସିଲା ।

 

ସେତେବେଳକୁ ରାତି ଅଧ । ସାଇଁ ସାଇଁ ନିଶା ଗର୍ଜୁଛି । ସେ ଜାଣି ପାଇଲା କିଏ ଦୁଇ ଚାରିଜଣ ଲୋକ କଥାଭାଷା ହୋଇ ମେଣ୍ଢା ଗୁହାଳ ଆଡ଼କୁ ଆସୁଛନ୍ତି । ସେମାନେ ହେଉଛନ୍ତି ଗୋଟିଏ ଚୋର ଦଳ । କେଉଁଠୁ ବହୁତ ଧନ ଚୋରିକରି ଆଣି ଗାଁ ମୁଣ୍ଡରେ ଥିବା ଠାକୁରାଣୀଙ୍କ ପାଖରେ ଠୁଳକରି ଗାଁ ଭିତରକୁ ଆସିଛନ୍ତି । କାରଣ ଠାକୁରାଣୀ ସେମାନଙ୍କୁ କହିଥିଲେ ତୁମେମାନେ ସବୁଦିନ ଚୋରିକରି ମୋ ପାଖରେ ରଖି ମୋ ସାମନାରେ ଭାଗବଣ୍ଟା କରୁଛ । ଦିନେହେଲେ ମୋର ପୂଜା କରିନାହଁ । ଆଜି ରାତିରେ ଯେବେ ମୋତେ ଗୋଟିଏ ମେଣ୍ଢା କି ଛେଳି ବଳି ନଦେବ ତେବେ ମୁଁ ତୁମର ବହୁ ଅନିଷ୍ଟ କରିବି ।” ଏଣୁ ଚୋରମାନେ ଛେଳି ବା ମେଣ୍ଢା ଚୋରି କରିବା ପାଇଁ ଗାଁ ଭିତରେ ପଶିଛନ୍ତି । ଗୋଟିଏ ଚୋର ମଦନ ବସିଥିବା ମେଣ୍ଢା ଗୁହାଳ ଆଡ଼କୁ ହାତ ଠାରି କହିଲା–ଭାଇମାନେ । ଏଇଟା ହେଉଛି ଏଇ ଗାଁ ଜମିଦାର ଘର ମେଣ୍ଢା ଗୁହାଳ । ଏଇଠି ଭଲ ଭଲ ମେଣ୍ଢା ଥିବେ, ଆଉ ଡେରି ନକରି ଚାଲ ଏଇଠୁ ଗୋଟିଏ ମେଣ୍ଢା ନେଇ ଠାକୁରାଣୀକୁ ବଳୀଦେବା । ସବୁ ଚୋରମାନେ ତାହାରି କଥାରେ ହଁ ଭରି ସେଇ ମେଣ୍ଢା ଗୁହାଳରେ ପଶିଲେ । ଗୋଟି ଗୋଟି କରି ସବୁ ମେଣ୍ଢାଙ୍କ ଦେହରେ ହାତ ବୁଲାଇଲେ । ଗୋଟିଏ ଚୋରର ହାତ ମଦନର ଦେହରେ ବାଜିଲା । ସେ କହିଲା–ଭାଇମାନେ ଯେତେ ମେଣ୍ଢା ଅଛନ୍ତି ଏଇଟା ହେଉଛି ସବୁଠାରୁ ସବଳ ମେଣ୍ଢା । ୟାକୁ ଶୀଘ୍ର ଧରି ଚାଲ । ଚାରିଜଣ ଚୋର ମଦନକୁ ମେଣ୍ଢାଭାବି ଉଠାଇ ନେଲେ । ତାକୁ ଠାକୁରାଣୀ ସାମନା ମଣ୍ଡପରେ ବାନ୍ଧିଦେଇ ସେମାନେ ଫୁଲ ଆଣିବାପାଇଁ ପାଖ ବଣକୁ ଗଲେ ଭାରି । ଚୋରମାନେ ଚାଲିଯିବା ପରେ ମଦନ ଉଠି ବସି ଦୀର୍ଘ ନିଶ୍ଵାସଟିଏ ମାରି ଠାକୁରାଣୀଙ୍କ ଗୋଡ଼ତଳେ ଲମ୍ବହୋଇ ପଡ଼ିଗଲା । ତା’ପରେ ଚାରିଆଡ଼କୁ ଚାହିଁ ଚୋରମାନେ ଥୋଇଥିବା ଟଙ୍କାପଇସା, ସୁନା ଗହଣାଗୁଡ଼ିକୁ ଅଣ୍ଟିରେ ପୁରାଇ ଆଖିବୁଜି ଦୌଡ଼ିଲା ଗାଁ ମୁଣ୍ଡ ପୋଖରୀ ପାଖକୁ । ପୋଖରୀରେ ଗାଧୁଆ ପାଧୁଆ ସାରି ସଫା ସୁତୁରା ହୋଇ ଟଙ୍କା ସୁନାଧରି ଆସିଲା ଶଶୁର ଘରକୁ । ସେତେବେଳକୁ ପାହାନ୍ତିଆ ହୋଇଗଲାଣି । ମାଳତୀ ଶେଯରୁ ଉଠି ନଥାଏ । ସେ ମାଳତୀ ଶୋଇଥିବା ଘରେ ପଶି ତାକୁ ଉଠାଇ ସବୁ ଜିନିଷ ପତ୍ର ଦେଖାଇଲା । ଏତେ ଟଙ୍କାସୁନା ଗହଣା ଗାଣ୍ଠି ଦେଖି ମାଳତୀ ଆଚମ୍ବିତ ହୋଇ ପଚାରିଲା–ତୁମେ ଏସବୁ କେଉଁଠୁ ଆଣିଲ ? ରାତିରେ କା ଘରେ ପଶି ଚୋରି କଲ ନା କ’ଣ ? ମଦନ କହିଲା–“ଚୋରିଧନ ଚୋରନେଲା ବୁଝିଲୁ” । ମାଳତୀ କହିଲା କ’ଣ ଯେ ତୁମେ କହୁଛ ମୁଁ କିଛି ବୁଝିପାରୁନି । କ୍ଷୀରୀଖିଆ ଠାରୁ ଆରମ୍ଭ କରି ଧନ ପାଇବା ପର୍ଯ୍ୟନ୍ତ ସବୁ କଥା ମଦନ ମାଳତୀ ଆଗରେ ଗୋଟି ଗୋଟି କରି କହିଲା । ଧନ ପାଇଥିବା ଯୋଗୁ ମାଳତୀ ଯେତିକି ଆନନ୍ଦ ନହେଲା ଗତରାତିର ଘଟଣା ଶୁଣି ହସି ହସି ବହୁତ ଆନନ୍ଦ ପାଇଲା । ମଦନ ଖାଇପିଇ ସ୍ତ୍ରୀ ମାଳତୀକୁ ଧରି ଶଶୁର ଘରୁ ବିଦା ହୋଇ ନିଜ ଗାଁକୁ ଫେରିଗଲା ।

Image